ରାଜନୈତିକ ରାଲିରେ ଯୋଗ ଦେଇ ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ସରକାରୀ ସହକାରୀ ଶିକ୍ଷୟତ୍ରୀଙ୍କୁ ନିର୍ବାଚନ ଅଧିକାରୀଙ୍କ ଛାଟ । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ଦଳୀୟ ରାଲିରେ ଯୋଗ ଦେଇ ନିଲମ୍ବିତ ହେଲେ ଶିକ୍ଷୟତ୍ରୀ । ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ।

ସୂଚନା ଅନୁସାରେ, ଦୁଇ ଦିନ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ପଲଶପାଟ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବାଇକ୍ ରାଲି ହୋଇଥିଲା । ଏହି ରାଲିରେ ଶୀକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକ ଯୋଗଦେଇଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସମସ୍ତ ସରକାରୀ କର୍ମଚାରୀମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ ବୋଲି ଚିଠି ଲେଖି ଉଲ୍ଲେଖ କରାଯାଇଥିଲା । ଏହାର ଖିଲାପ ଯୋଗୁଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି ।