ପଲିଟିକ୍ସରୁ ସନ୍ୟାସ ନେବା ଘୋଷଣା କଲେ ବିଜେଡି ସାଂସଦ ତଥାଗତ

ଟିକେଟ ମିଳିବନି ବୋଲି ବିଡାଡି ବୈଷ୍ଣବ ନୀତି ନୁହେଁତ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଢ଼େଙ୍କାଳନାଳ ସାଂସଦ ତଥାଗତ ସତପଥୀ ଆଜି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବୟସ ହେଲେ ରାଜନୀତି ଛାଡିବା ଉପରେ ଭାବିବା ଉଚିତ୍ । ଫଳରେ ନୂଆ ମୁହଁ ରାଜନୀତିକୁ ଆସିବେ । ମୁଁ ଏବେ ବି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ଅଛି। ବିଜେଡି ଟିକେଟ ମିଳିବ ନ ମିଳିବ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। କେବଳ ରାଜନୀତି ମାଧ୍ୟମରେ ସେବା କରିହେବ କହିବା ଭୁଲ। ମୋର ରାଜନୈତିକ ପଦପଦବି ପାଇଁ ଆଉ ଲୋଭ ନାହିଁ। କାହା କଥା କି କାହା ଦୟାରେ ରାଜନୀତି କରୁ ନଥିଲି। ନବୀନ ବାବୁ ମୋତେ ଖୁବ୍‌ ସ୍ନେହଶ୍ରଦ୍ଧା ଦେଇଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ଆଉ କମ ଦିନ ବାକି ଥିବା ବେଳେ ତଥାଗତ ସତପଥୀଙ୍କ ଅଚାନକ ଘୋଷଣା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

 ଆଉ ରାଜନୀତି କରିବେନି ତଥାଗତ ସତପଥୀ । ପଲିଟିକ୍ସରୁ ସନ୍ୟାସ ନେବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ହଠାତ୍ କାହିଁକି ତଥାଗତ ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ଚର୍ଚ୍ଚା ଧୋର୍ ଧରିଛି । ବୟସ ହେଲାଣି, ଆଉ ରାଜନୀତି କରିବିନି । କେବଳ ସାମ୍ବାଦିକତାରେ ମନେଦବି । ଏମିତି କହି ନିର୍ବାଚନୀ ରାଜନୀତିକୁ ବାଏ ବାଏ କରିଛନ୍ତି ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ନେତା ତଥାଗତ ସତପଥୀ । ପଲିଟିକ୍ସରୁ ହିଟ୍ ୱିକେଟରେ ଆଉଟ୍ ହୋଇଛନ୍ତି ତଥାଗତ । ଏହାସହ ୬୦ ଟପିଲେ ରାଜନୀତି ଛାଡିଦେବା କଥା ବି ଉଠାଇଛନ୍ତି । ନିଜ ଅଫିସିଆଲ୍ ଟ୍ବିଟର ଆକାଉଣ୍ଟ ରେ ନିଜକୁ ପୂର୍ବତନ ସାଂସଦ ବୋଲି ଘୋଷଣା କରିଛନ୍ତି । ତାଙ୍କ ପରିବାରର କେହି ଟିକଟ୍ ଲବିରେ ନ ଥିବା କହିଛନ୍ତି ତଥାଗତ ।

“ବୟସ ହେଲାଣି, ଆଉ ରାଜନୀତି କରିବିନି”

“ପୁଅ କହିଲା ରାଜନୀତ କରନି ଘରେ ରୁହ”

“ମୋ ସ୍ତ୍ରୀ  ନିର୍ବାଚନ ଲଢିବେନି”

“୬୦ ଟପିଲେ ରାଜନୀତିରୁ ସନ୍ୟାସ ନେବା କଥା”

“ଅଫିସିଆଲ୍ ଟ୍ବିଟର ଆକାଉଣ୍ଟ ରେ ନିଜକୁ ପୂର୍ବତନ ସାଂସଦ ବୋଲି ଘୋଷଣା”

ତିନି ଥରର ସାସଂଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତଙ୍କ ହଠାତ୍ ରାଜନୀତି ପ୍ରତି ଏଭଳି ବୈରାଗ୍ୟ କାହିଁକି ଆସିଲା  ? ସତରେ ବୟସ ପାଇଁ ରାଜନୀତି ଛାଡ଼ିଲେ ନା ଆଉ କିଛି କାରଣ ରହିଛି ?  କିଛି ଏକଥା ବି କହୁଛନ୍ତି, କଂଗ୍ରେସରୁ ଆସି ଢେଙ୍କାନାଳ ବିଜେଡିରେ ପାୱାରଫୁଲ ହେଉଛନ୍ତି ସୁଧୀର ସାମଲ । ଯାହା ତଥାଗତଙ୍କ ଟିକଟ୍ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା । ସେପଟେ ସୌମ୍ୟରଂଜନଙ୍କ ବିଜେଡି ପ୍ରବେଶକୁ ବି ତଥାଗତ ବିରୋଧ କରି ନିରାଶ ହୋଇଥିଲେ । ତେଣୁ ନିର୍ବାଚନ ପୂର୍ବରୁ ଏହା ସାଇଡ୍ ଇଫେକ୍ଟ ନୁହେଁତ ?  ତେବେ ରାଜନୀତି ନ ଛାଡ଼ିବାକୁ ତଥାଗତକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।