ଟସର ଚାଷୀଙ୍କୁ ଦାଉ ସାଜିଛି ଅଜଣା ରୋଗ, ଚିନ୍ତାରେ ଚାଷୀ

ଲକ୍ଷାଧିକ ଟସର ପୋକ ମୃତ

ନୂଆପଡ଼ା  : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଉଲଭା ଓ ଅଗ୍ରେନ ଗାଁର ଟସର ଚାଷୀଙ୍କୁ ଅଜଣା ରୋଗ ଦାଉ ସାଜିଛି । ବର୍ଷକୁ ଦୁଇ ଥର ଉଭୟ ଗାଁର ଚାଷୀ ଟସର ବିକ୍ରି କରି ଭଳି ଆମଦାନି କରି ପରିବାର ଭରଣ ପୋଷଣ କରନ୍ତି । ଏବେ ଲକ୍ଷାଧିକ ଟସର ପୋକ ମରି ଯାଉଥିବାରୁ ଚାଷୀ କୂଳ ଚିନ୍ତାରେ ପଡି ଯାଇଛନ୍ତିା
ଗତ ୧୦ ବର୍ଷ ହେବ କୋମନା ବ୍ଲକ ଉଲଭା ଓ ଅଗ୍ରେନ ଗାଁର ଚାଷୀ ମାନେ ଟସର ଚାଷ କରି ଭଳି ଦ୍ୱିପଇସା ରୋଜଗାର କରିଥାନ୍ତି । ଏଥି ପାଇଁ ଅଗ୍ରେନ ଗାଁରେ ବାପୁଜୀ ଟସର ସମବାୟ ସମିତି ରହିଛି । ଏଠାରୁ ଟସର ଚାଷୀ ପୋକ ଓ ଋଣ ନେଇ ଚାଷ କରିଥାନ୍ତି । ଉଲଭା ଗାଁରେ ୧୦ ହେକ୍ଟର ଟସର ଚାଷ ଜମିରେ ୬ ଜଣ ଚାଷୀ ବର୍ଷକୁ ଦୁଇ ଥର ଟସର ଚାଷ କରନ୍ତି । ଏଥିରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହ ପିଲା ଛୁଆଙ୍କ ପାଠ ପଢାଇଥାନ୍ତି । ଚଳିତ ବର୍ଷ ଉଲଭା ଗାଁର ଛତରସାଏ ମାଝି, ସନ୍ତନୁ ମାଝି, ଗଙ୍ଗାଧି ମାଝି, ମନିରାମ ମାଝି, ଅଗ୍ରେନ ଗାଁର ଚନ୍ଦ୍ରଧ୍ୱଜ କୈବର୍ତ୍ତ, ପିଣ୍ଟୁ କୈବର୍ତ୍ତ ପ୍ରମୁଖ ଚାଷୀ ଧାର ଉଧାର କରି ସମବାୟ ସମିତିରୁ ଟସର ପୋକ କିଣି ଅର୍ଜୁନ ଗଛରେ ଲଗାଇଥିଲେ । ଏବେ ପୋକ ବଡ ହେବା ସହ ଟସର ବାନ୍ଧିବ ସମୟ ଆସିଥିଲା । ଆଉ କିଛି ଦିନ ପରେ ଟସର ଅମଳ ହେବାକୁ ରହିଥିଲା । ଏଭଳି ସ୍ଥିତିରେ ଟସର ଚାଷୀଙ୍କ ପାଇଁ ଦାଉ ସାଜିଲା ଅଜଣା ରୋଗ । ଏବେ ଅର୍ଜୁନ ଗଛରେ ଅଜଣ ରୋଗରେ ଟସର ପୋକ ମରିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଟସର କିଟ ମରି ଚାଲିଛି । ଗତ ଏକ ସପ୍ତାହ ଭିତରେ ଲକ୍ଷାଧିକ ଟସର କିଡା ମରି ସାରିଲାଣି । ଚାଷୀ କେମିତି କରିବେ କଣ କରିବେ କିଛି ବୁଦ୍ଧିବାଟ ଦିଶୁନାହିଁ । କରୋନା ମହାମାରିରେ ଲକ୍ ହେତୁ ବହୁ କଷ୍ଟରେ ଧାର ଉଧାର କରି ଚାଷ କରିଥିଲେ । ଚଳିତ ଋତୁରେ ଭଳ ଟସର ଅମଳ କରି ଭଳ ରୋଜଗାର କରିବେ ବୋଲି ଆଶା ବାନ୍ଧିଥିଲେ । ଟସର ଚାଷରେ ଅଜଣା ରୋଗ ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏବେ କିଟକୁ ବଞ୍ଚାଇବା ପାଇଁ କୌଣସି ମାଧ୍ୟମ ଦିଶୁନଥିବାରୁ ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ ହେବାରେ ଲାଗିଛି । ଆଗକୁ କେମିତି ପରିବାର ପ୍ରତିପୋଷଣ କରିବେ, ପିଲା ଛୁଆଙ୍କୁ କେମିତି ପାଠ ପଢାଇବେ ଚାଷୀ ସେହି ଚିନ୍ତାରେ ଘାରି ହେଉଛନ୍ତି । ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ କ୍ଷତିଗ୍ରସ୍ତ ଚାଷୀ ଉଲଭା ଗାଁର ଛତରସାଏ ମାଝି, ସନ୍ତନୁ ମାଝି, ଗଙ୍ଗାଧି ମାଝି, ମନିରାମ ମାଝି, ଅଗ୍ରେନ ଗାଁର ଚନ୍ଦ୍ରଧ୍ୱଜ କୈବର୍ତ୍ତ, ପିଣ୍ଟୁ କୈବର୍ତ୍ତ ପ୍ରମୁଖ ଚାଷୀ ଦାବୀ କରିଛନ୍ତି । ଏନେଇ ଅଗ୍ରେନ ବାପୁଜୀ ଟସର ସମବାୟ ସମିତି ସୁପର ଭାଇଜର ମୋତିରାମ ନାଗଙ୍କୁ ପଚାରିବାରୁ, ଏବେ ଟସର କିଟ ମରି ଯାଉଥିବାରୁ ଚାଷୀ ବହୁ କ୍ଷତିରେ ପଡିବାର ସମ୍ଭାବନା ରହିଛି । ଏହା ଉପରେ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କରିବେ ବୋଲି କହିଥିଲେ ।