ଅଭିନେତା ତଥା ରାଜନେତା ତାପସ ପାଲଙ୍କ ପରଲୋକ

ମୁମ୍ବାଇ: ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତଥା ଅଭିନେତା ତାପସ ପାଲଙ୍କ ପରଲୋକ ଘଟିଛି । ମୁମ୍ବାଇ ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଦେହାନ୍ତ ହୋଇଛି । ବଙ୍ଗଳା ସିନେମା ଜଣାଶୁଣା ଅଭିନେତା ତାପସ ପାଲଙ୍କୁ ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା ।

ସୂଚନା ଅନୁସାରେ, ମୁମ୍ବାଇରେ ଥିବା ନିଜ ଝିଅ ଘରକୁ ତାପସ ଯାଇଥିଲେ । କୋଲକାତା ଫେରିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ଅପେକ୍ଷା କରିଥିବାବେଳେ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାପସ ବଙ୍ଗଳା ସିନେମା ଜଗତର ଜଣେ ପ୍ରଖ୍ୟାତ ଅଭିନେତା ହୋଇଥିବାବେଳେ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ ଫିଲ୍ମରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ଉଦୟ ଶଙ୍କର ପାଣିଙ୍କ ନିର୍ଦେଶିତ ‘ମିଛ ମାୟା ସଂସାର’ ଓ ମହମ୍ମଦ ମହସୀନଙ୍କ ନିର୍ଦେଶିତ ‘ବିଧିର ବିଧାନ’ ଆଦି ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଥିଲେ ।

ସୂଚନା ଥାଉ କି, ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ସେ ଜେଲ ଯାଇଥିଲେ । ରୋଜ ଭ୍ୟାଲି ଠକେଇ ମାମଲାରେ ୨୦୧୬, ଡିସେମ୍ବର ୩୦ରେ ତାପସଙ୍କୁ ସିବିଆଇ ଗିରଫ କରିଥିଲା। ଏହାପରେ ଭୁବନେଶ୍ୱର ସିବିଆଇ ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ସିବିଆଇ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା ମଧ୍ୟ କରିଥିଲା। ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ସହିତ ଅପରାଧିକ ଷଡଯନ୍ତ୍ରରେ ସାମିଲ ହେବା ସହିତ ରୋଜଭ୍ୟାଲି ଚେନ୍ ମାର୍କେଟିଂ ସିଷ୍ଟମ ଲିମିଟେଡ୍‌ରେ ନିର୍ଦ୍ଦେଶକ ଭାବେ ସେ କାର‌୍ୟ୍ୟ କରିଥିଲେ। ସେ ଜଣେ ଅଭିନେତା ଓ ରାଜନେତା ହୋଇ ରୋଜଭ୍ୟାଲି ସଂସ୍ଥାରେ ନିବେଶ କରିବା ପାଇଁ ଜମାକାରୀଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।