ତେଲେଙ୍ଗାନା ପରେ ତାମିଲନାଡୁ ସରକାରଙ୍କ ନିଷ୍ପତ୍ତି: ବିନା ପରୀକ୍ଷାରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ପାସ୍

ତାମିଲନାଡୁ: ତେଲେଙ୍ଗାନା ପରେ ତାମିଲନାଡୁ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିନା ପରୀକ୍ଷାରେ ଏବେ ତାମିଲନାଡୁର ସମସ୍ତ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତାମିଲନାଡୁରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏଡାପ୍ପାଡି କେ ପଲାନିସ୍ୱାମୀ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି, ଜୁନ୍‌ ୧୫ରୁ ରାଜ୍ୟରେ ୧୦ମ ଶ୍ରେଣୀ ପରୀକ୍ଷା ହେବାର ଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ୧୦ମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ସମସ୍ତ ପିଲା ଏବେ ପାସ୍‌ ହୋଇ ପରବର୍ତ୍ତୀ କ୍ଲାସକୁ ଯାଇପାରିବେ।

ସେ ଆହୁରି କହିଛନ୍ତି, “ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନା ସଂକ୍ରମଣ ନିକଟ ଭବିଷ୍ୟତରେ ଥମିବାର ପ୍ରଶ୍ନ ଉଠୁନାହିଁ। ରାଜ୍ୟରେ ବଢ଼ୁଥିବା କରୋନା ମାମଲା ଓ ଅଭିଭାବକମାନଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ଜୁନ୍‌ ୧୫ରୁ ଆରମ୍ଭ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ଓ ବାକି ଥିବା ଏକାଦଶ ଶ୍ରେଣୀର ପରୀକ୍ଷାକୁ ବାତିଲ କରାଯାଉଛି।

ଶିକ୍ଷାର୍ଥୀଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। କ୍ୱାର୍ଟରଲି, ହାଫୟର୍ଲି ପରୀକ୍ଷାର ମାର୍କ ଅନୁସାରେ ପିଲାମାନଙ୍କୁ ଗ୍ରେଡ ଦିଆଯିବ।” ଜୁନ୍‌ ୧୫ରୁ ଆରମ୍ଭ ହେବାକୁ ଥିବା ପରୀକ୍ଷାରେ ପ୍ରାୟ ୯ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଭାଗ ନେବାର ଥିଲା। ଏଥିପାଇଁ ୧୨,୬୯୦ଟି ପରୀକ୍ଷା କେନ୍ଦ୍ର ହୋଇଥିଲା।