ତାଳଚେର ସାର କାରଖାନା ଚାଷୀଙ୍କ ସାର ଚାହିଦା ପୂରଣ କରିବ: ମୋଦୀ

ଅନୁଗୁଳ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ତାଳଚେରଠାରେ ବହୁ ଦିନରୁ ପଡ଼ିରହିଥିବା ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଲେ ଯେ ଏହି ମହତ୍ୱାକାଂକ୍ଷୀ ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ଆଧୂନିକ ପ୍ରଯୁକ୍ତି କୋ÷ଶଳ ଉପଯୋଗରେ କୋଇଲାରୁ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେବ ଏବଂ ସେହି ବାଷ୍ପକୁ ବ୍ୟବହାର କରି ରାସାୟନିକ ସାର ପ୍ରସ୍ତୁତ ହେବ । ତାଙ୍କ ସରକାର କ୍ଷମତାକୁ ଆସିବା ପରେ ସମୀକ୍ଷା କରି ଦେଖିଲେ ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଧାପନ୍ତରିଆ ଅଥବା ପୁନରୁଦ୍ଧାର ଅପେକ୍ଷାରେ ପଡ଼ିରହିଛି । ସେଥିମଧ୍ୟରେ ତାଳଚେର ସାର କାରଖାନା ଅନ୍ୟତମ । ତାଙ୍କ ସରକାର ଏହି ପ୍ରକଳ୍ପକୁ ପୁଣି ଥରେ ଆଧୁନିକ ଟେକ୍ନୋଲୋଜିରେ ନିର୍ମାଣ କରିବା ଲାଗି ସଂକଳ୍ପ ନେଲେ । ଏହି ନିଷ୍ପତ୍ତିର ଅଂଶ ସ୍ୱରୂପ ଆଜି ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଆଧାରଶିଳା ରଖାଯାଇଛି । ଏହାକୁ ୩୬ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ଏବଂ ସେ ନିଜେ ଏଠାକୁ ପୁଣି ଆସି କାରଖାନାକୁ ରାଷ୍ଟ୍ରକୁ ସମର୍ପିତ କରିବେ । ଏହି ପ୍ରସ୍ତାବିତ ସାର କାରଖାନାରେ ପ୍ରାୟ ୪୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ ଦେଶର ଚାଷୀ ଏହି ସାର କାରଖାନା ଦ୍ୱାରା ଉପକୃତ ହେବେ । ଏବେ ବିଦେଶରୁ ୟୁରିଆ ଆମଦାନୀ ହେଉଛି । ଏଥିଲାଗି ଦେଶକୁ ଚାଷୀଙ୍କ ସାର ଚାହିଦା… ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି । ତାଳଚେର ସାର କାରଖାନା ଦ୍ୱାରା ଓଡ଼ିଶା ଏବଂ ଦେଶର ଚାଷୀମାନଙ୍କ ଆଶା ଓ ଚାହିଦା ପୂରଣ ହେବ । ଏଥିସହିତ ବିଦେଶରୁ ୟୁରିଆ ଆମଦାନୀ ମଧ୍ୟ କମିବ । ଏହି ସଂକଳ୍ପ ନେଇ ଗ୍ୟାସ ଆଧାରିତ ସାର କାରଖାନାର ନିର୍ମାଣ କାର୍ଯ୍ୟକୁ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଲେ ଯେ ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ଆନନ୍ଦର ଦିନ । ପ୍ରଧାନମନ୍ତ୍ରୀ ତାଳଚେର ସାରକାରଖାନା ଶିଳାନ୍ୟାସ କରିଛନ୍ତି । ତାଳଚେର ସାର କାରଖାନା ପାଇଁ ପୂର୍ବରୁ ଓଡ଼ିଶାବାସୀ ଦାବି ଉପସ୍ଥାପନ କରି ଆସୁଥିଲେ । ଏ ଦିଗରେ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି । ରାଜ୍ୟର ଚାଷୀମାନେ ହେକ୍ଟର ପିଛା ୬୮ କେଜି ସାର ବ୍ୟବହାର କରୁଛନ୍ତି; ଯାହାକି ଜାତୀୟ ହାରର ୫୦% । ଦେଶର ପୂର୍ବାଞ୍ଚଳରେ ସାର କାରଖାନା ନଥିବାରୁ ରାଜ୍ୟର ଚାଷୀ ସାର ପାଇବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏବେ ରାଜ୍ୟର ଚାଷୀ ୟୁରିଆ ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରୁଛନ୍ତି । ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ଚାଷୀ ଭାଇ ଲାଭ ପାଇପାରିବେ । ଏହି କାରଖାନାରୁ ଓଡିଶାର ଚାଷୀମାନେ ଯେପରି ୫୦ଭାଗ ୟୁରିଆ ସାର ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କରିଥିଲେ ।

ରାଜ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପର କାମ ଠିକ୍ ସମୟରେ ସାରିବାକୁ ତାଙ୍କ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି ସମାବେଶରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ସାଂସଦ ତଥାଗତ ସତପଥି, ବିଧାୟକ ବ୍ରଜକିଶୋର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ, କନକ ବର୍ଦ୍ଧନ ସିଂଦେଓ, ପ୍ରତାପ ଷଡଙ୍ଗୀ, ରୁଦ୍ର ନାରାୟଣ ପାଣି, ସୁରମା ପାଢ଼ୀ, ସମ୍ବିତ ପାତ୍ର, ଅରୁଣ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ,ଅଗସ୍ତି ବେହେରା, ଦିଲ୍ଲିପ ପ୍ରଧାନ, ମୀନକେତନ ଅମାନ୍ତ, ନମିତା ଦଳବେହେରା, ସୁଜାତ ଦାସ, ରୋଜାଲିନ ଦାସ, ସୋମନାଥ ରାଉତ, ପ୍ରତିମା ମିଶ୍ର ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।