ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଯାବତ୍ ୧୨ ଜଣ ଏହିି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆଜି ଖୋର୍ଦ୍ଧା ଅଂଚଳର ଜଣେ ବ୍ୟକ୍ତି ଏଥିରେ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଗତ ଦେଢ଼ ମାସ ଭିତରେ ହିଁ ରାଜ୍ୟରେ ସମସ୍ତ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଚଳିତ ମାସ ବର୍ତମାନ ସୁଦ୍ଧା ମୋଟ ୧୨ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ଅଂଚଳର ଜଣେ ବୟସ୍କ ବ୍ୟକ୍ତି ଆଜି ସ୍ୱାଇନ୍ ଫ୍ଲୁରେ ଚିହ୍ନଟ ହୋଇଛନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଗତକାଲି ମଧ୍ୟ ରାଜଧାନୀରେ ରହୁଥିବା ଜଣେ ମହିଳା ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଥିଲା। ପ୍ରତ୍ୟେକ ଦିନ ଏକାଧିକ ବ୍ୟକ୍ତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଘଟଣା ଲୋକଙ୍କ ମନରେ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ହିଁ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି।
ଅପରପକ୍ଷରେ ଗତବର୍ଷ ରାଜ୍ୟରେ ସ୍ୱାଇନ୍ ଫ୍ଲୁରେ ୨୦୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ତହିଁରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ ମସିହାରେ ମାତ୍ର ୩୩ ଜଣ ଆକ୍ରାନ୍ତ ହୋଇଥିଲେ ହେଁ ତହିଁରେ ୭ଜଣ ପ୍ରାଣ ହରାଇଥିଲେ।