ରାଜ୍ୟସ୍ତରୀୟ ସ୍ଵାୟତ୍ତ ଶାସନ ଦିବସ ପାଳନ: ୨୦୩୫ ୱାର୍ଡ ଅଫିସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ରାଜ୍ୟ ସ୍ତରୀୟ ସ୍ଵାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ଵର ମହାନଗର ନିଗମର ସମସ୍ତ ୱାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ବିଏମସିର ଏହି ୱାର୍ଡ ଅଫିସ୍ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନାର ତଦାରଖ କରିବ। 

ଏହି ଅବସରରେ ନବୀନ କହିଛନ୍ତି ଯେ, ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥାମାନଙ୍କୁ ଆବର୍ଜନା ମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ମାଆମାନଙ୍କୁ ସାମିଲ କରାଯିବ। ଉତ୍ତମ ନାଗରିକ ସେବା ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ। ୫ଟି ନୀତିକୁ ଅନୁସରଣ କରାଗଲେ ଜନତା ଚାହୁଁଥିବା ପରିବର୍ତ୍ତନକୁ ହାସଲ କରାଯାଇ ପାରିବ। 

ଏହା ସହ ୱାର୍ଡ ଅଫିସ୍ ରାସ୍ତା ଆଲୋକୀକରଣ, ପାର୍କିଂ ସ୍ଥାନର ବିକାଶ ଓ ରକ୍ଷଣାବେକ୍ଷଣା କରିବ। ଏହି ଅବସରରେ ଇ-ବିପାସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଇ-ବିପାସ୍ ଦ୍ଵାରା ୪୮ ଘଣ୍ଟାରେ ଆବେଦନକାରୀ ଘର ନକ୍ସା ପାଇବେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମଧ୍ୟ ମଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟରେ ୨୪୨ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ରହିଵ। ସେହି ସମୟରେ ଭୁବନେଶ୍ଵରରେ ୪୩ଟି ୱାର୍ଡରେ ମଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ରହିବ। ୨୬ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାହେବ। ଏହି କ୍ରମରେ ଆଜି ଗଞ୍ଜାମରେ ୪ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉଦଘାଟିତ ହୋଇଛି। 

ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟର ସହରାଞ୍ଚଳରେ ଥିବା ୨୦୩୫ ୱାର୍ଡରେ ୱାର୍ଡ ଅଫିସ୍ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅନଲାଇନ ବିବାହ ପ୍ରମାଣ ପତ୍ର ପ୍ରଦାନ ବ୍ୟବସ୍ଥା, ପୁରୀର ଫୋନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଅନଲାଇନ ସାହାଯ୍ୟରେ ଦଶ ହଜାର ସହାୟତା ରାଶି ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପୁରୀର ମୋଟ ୧୩୬୯ଜଣଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିବାବେଳେ ଭୁବନେଶ୍ୱର ସହିଦ ନଗରରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତର ଓ ମଧ୍ୟ ବିଧାୟକ ଦ୍ୱୟ, ବ୍ରହ୍ମପୁରରେ ସାଂସଦ, ପୁରୀରେ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ।

-ଫନି କ୍ଷତିଗ୍ରସ୍ତ ପୁରୀର କ୍ଷୁଦ୍ର ବ୍ୟବସାୟୀଙ୍କୁ ୧୦ହଜାର ଟଙ୍କା ସହାୟତା
-୪୮ ଘଣ୍ଟାରେ ଘର ନକ୍ସା ଅନୁମୋଦନ
-କଠିନ ବର୍ଜ୍ୟବସ୍ତୁ ପରିଚାଳନା
-ଅନଲାଇନ ବିବାହ ପ୍ରମାଣପତ୍ର ପ୍ରଦାନ
-୨୦୩୫ ୱାର୍ଡ ଅଫିସ୍ ଉଦଘାଟନ
-୨୪୨ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଓ ୨୬ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ହେବ ନିର୍ମାଣ