ସ୍ୱଚ୍ଛ ସହରର ପ୍ରମୁଖ ସାରଥୀ : ବର୍ଜ୍ୟ ସଂଗ୍ରହକାରୀଙ୍କୁ ନୂଆ ପରିଚୟ ଦେଇଛି ପୌର ପ୍ରଶାସନ

ଭୁବନେଶ୍ୱର :  ଦିନେ ଜରି ଗୋଟାଉଥିଲେ ପେଟ ପୋଷିବା ପାଇଁ । ହେଲେ ଏହା ଏବେ ତାଙ୍କୁ ଦେଇଛି ନୂଆ ପରିଚୟ । ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାମାନେ ଏବେ ସହରାଚଂଳ ପ୍ରଶାସନ ସହିତ ଯୋଡିହୋଇ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶାକୁ ପୁରସ୍କୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଏହାର ଜ୍ୱଳନ୍ତ
ଉଦାହରଣ ହେଲେ ଭୁବନେଶ୍ୱରର ୩୫ବର୍ଷ ବୟସ୍କା ଶୁଭଲକ୍ଷ୍ମୀ । ଦିନେ ଜରି ଗୋଟାଉଥିବା ଶୁଭଲକ୍ଷ୍ମୀ ଏବେ ବ୍ୟାଟେରୀଚାଳିତ ଗାଡିରେ ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ମିଳୁଥିବା ପାଉଣାରେ ତାଙ୍କ ପରିବାର ଚଳାଇଛନ୍ତି । ପିଲାଙ୍କୁ ପାଠ ପଢାଇବାପାଇଁ ଘରୁ ଗୋଡ କାଢିଥିବା ଶୁଭଲକ୍ଷ୍ମୀ ଏବେ ନିଜର ଦ୍ୱାଦଶ ଓ ଷଷ୍ଠ ଶ୍ରେଣୀରେ ଥିବା ଦୁଇ ପୁଅଙ୍କ ସମେତ ସ୍କୁଲ ଯିବାପାଇଁ ପ୍ରସ୍ତୁତ ହେଉଥିବା ଛୋଟ ଝିଅଙ୍କୁ ଠିକଣା ଭାବେ ପଢାଇପାରିବେ ବୋଲି କହିଛନ୍ତି । ଦିନକୁ ମାତ୍ର ୪ଘଂଟା କାମ କରି ଶୁଭଲକ୍ଷ୍ମୀ ଏବେ ମାସକୁ ୭୦୦୦ ଟଙ୍କା ବେତନ ପାଉଛନ୍ତି । ତାଙ୍କ ସହିତ ଅଛନ୍ତି ୩୨ବର୍ଷିଆ ଲିଲା ରାଓ ଏବଂ ୨୯ବର୍ଷିୟା ଝିଲି ମୁଲି । କେବଳ ଶୁଭଲକ୍ଷ୍ମୀ ନୁହନ୍ତି ତାଙ୍କ ଭଳି ୨୧୧୮ ଜଣଙ୍କୁ ଚିହ୍ନଟ କରାଯାଇ ବର୍ଜ୍ୟ ସଂଗ୍ରହ, ଏହାର ପୃଥକୀକରଣ, ଖତ ପ୍ରସ୍ତୁତି ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଛି । ରାଜ୍ୟର ୫୫ଟି ସ୍ୱୟଂ ସହାୟିକା ଗୋଷ୍ଠି ଏହି କାର୍ଯ୍ୟରେ ଯୋଡିହୋଇ ଯାଇଥିବାବେଳେ ୬୧୮ଜଣ ସଦସ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ବଲପୁର ମହାନଗର ନିଗମରେ କାର୍ଯ୍ୟ କରୁଛନ୍ତି । ରାଜଧାନୀରେ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତି କାର୍ଯ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟମାନଙ୍କୁ ମୁତୟନ କରାଯାଇଛି । ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଖତ ପ୍ରସ୍ତୁତ ସମୟରେ ସମସ୍ତ ସର୍ତକତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି । ରାଜ୍ୟର ଛୋଟ ଛୋଟ ସହରାଚଂଳରେ ଅନୁରୂପ ଛୋଟ ଛୋଟ ଗୋଷ୍ଠି ଗଠନ କରାଯାଇ ପୌର ପ୍ରଶାସନ ସହିତ ଯୋଡାଯାଉଛି ।
ଜରି ଗୋଟାଳିଙ୍କ ବ୍ୟତିତ କିନ୍ନର ଓ ବସ୍ତିବାସିନ୍ଦାମାନେ ଏବେ ପୌର ପ୍ରଶାସନ ସହିତ ଯୋଡିହେବା ଯୋଗୁଁ ରାଜ୍ୟ ସରକାର ଜାତୀୟ ସ୍ତରର ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଜାଗାମିଶନ ପାଇଁ ଓଡିଶା ବିଶ୍ୱ ବାସସ୍ଥାନ ପୁରସ୍କାର – ୨୦୧୯ ରେ ବ୍ରୋଂଚ ପଦକ ପାଇପାରିଥିଲା । ଏହି ସଫଳତାକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଏବେ ସମସ୍ତ ପୌରାଚଂଳ ପାଇଁ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଚିହ୍ନଟ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଛନ୍ତି । ଏମାନଙ୍କୁ ଚିହ୍ନଟ ସହିତ ସହରରେ ବର୍ଜ୍ୟବସ୍ତୁ ସଂଗ୍ରହ ଓ ଏହାର ବିଘଟନରେ ବିନିଯୋଗ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବର୍ଜ୍ୟବସ୍ତୁ ସଂଗ୍ରହକାରୀମାନଙ୍କୁ ଚିହ୍ନଟ ସହିତ ସହରର ପରିଚ୍ଛନ୍ନତାରେ ସେମାନଙ୍କୁ ସାମିଲ କରିବା ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପୁରସ୍କାର ଯୋଜନାର ଏକ ମାନଦଣ୍ଡ ଯାହାକି ଗତ ଡିସେମ୍ବରରେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ଅନୁରୂପ ଏହି ପୁରସ୍କାର ବୋଲି ପ୍ରମୁଖ ସଚିବ କହିଛନ୍ତି । ଉତମ ପ୍ରଦର୍ଶନ ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ପୁରସ୍କାର ରାଶି ଘୋଷଣା କରିବେ । ତେବେ ଆଗାମୀ ୩ମାସ ଲାଗି ଏ ସଂକ୍ରାନ୍ତରେ ଟେଲିଫୋନ ମାଧ୍ୟମରେ ମତାମତ ସଂଗ୍ରହ ଓ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି ।
ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ପରେ ପରବର୍ତୀ ପର୍ଯ୍ୟାୟରେ ସେମାନଙ୍କୁ ପ୍ରଶାସନର ସହଯୋଗୀ ଭାବେ ଗ୍ରହଣ କରାଯିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତମାନ ସୁଦ୍ଧା ୬୦ହଜାର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ପଟ୍ଟା ବଂଟନ ହୋଇଥିବାବେଳେ ଖୁବଶୀଘ୍ର ଆଉ ୨୦ହଜାରଙ୍କୁ ଏହି ପଟ୍ଟା ମିଳିବ । ଜମି ଯୋଗାଇବା ସହିତ ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରିବାପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ସକାଶେ ସରକାର ସେମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ବର୍ଷକ ମଧ୍ୟରେ ଅତି କମରେ ହଜାରେ ଆଦର୍ଶ କଲୋନି ପ୍ରସ୍ତୁତ ହେବବୋଲି ପ୍ରମୁଖ ସଚିବ ଶ୍ରୀ ମାଥିଭାଥନନ କହିଛନ୍ତି ।
ଅନୁରୂପ ଭାବେ ଭୁବନେଶ୍ୱର ସମେତ କେତେକ ସହରାଚଂଳରେ କିନ୍ନରମାନଙ୍କୁ ହୋଲଡିଂ ଟିକସ ଓ ପାର୍କିଂ ଫି ଆଦାୟରେ ନିୟୋଜିତ କରାଯାଇଛି । କିନ୍ନରମାନଙ୍କୁ ଅଳ୍ପ କେତେକ ପରମର୍ଶରେ ଏଭଳି କେତେକ କାର୍ଯ୍ୟରେ ନିୟୋଜିତ କରାଯାଇଛି ଯେଉଁଠାରେ ବୈଷୟିକ କର୍ମଚାରୀଙ୍କର ଆବଶ୍ୟକତା ନାହିଁ । ଏମାନଙ୍କ ବ୍ୟତିତ ସ୍ୱୟଂସହାୟକ ଗୋଷ୍ଠିଙ୍କୁ ମଧ୍ୟ ସହରାଚଂଳରେ ଅନ୍ୟ କେତେକ କାର୍ଯ୍ୟରେ ମୁତୟନ କରାଯାଇଛି ।