ପଞ୍ଚଭୂତରେ ଲୀନ ହେଲେ ସୁଶାନ୍ତ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ବଲିଉଡ୍‌ର ଖ୍ୟାତନାମା କଳାକାର ସୁଶାନ୍ତ ସିଂହ ରାଜପୁତ। ମୁମ୍ବାଇର ଭିଲେପା‌ର୍ଲେସ୍ଥିତ ଶ୍ମଶାନରେ ସୋମବାର ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଯାଇଛି। ତାଙ୍କର ଅନ୍ତିମ ସଂସ୍କାର ପାଇଁ ସୁଶାନ୍ତଙ୍କ ପରିବାର ଲୋକ ଆଜି ପାଟ୍‌ନାରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ। ସୁଶାନ୍ତଙ୍କ ଘର ବିହାରର ପାଟ୍‌ନାରେ। ସେ ମୁମ୍ବାଇ ଆସିବା ପୂର୍ବରୁ ବିହାର ଓ ଦିଲ୍ଲୀରେ ତାଙ୍କ ଛାତ୍ର ଜୀବନ ବିତାଇଥିଲେ। ଅନ୍ତିମ ସଂସ୍କାର ସମୟରେ କରୋନା କଟକଣା ହେତୁ ଖୁବ୍ ଅଳ୍ପ ଲୋକ ଶ୍ମଶାନକୁ ଶେଷ ଦର୍ଶନ ଲାଗି ଆସିପାରିଥିଲେ। ବିଭିନ୍ନ ଫିଲ୍ମରେ ତାଙ୍କର ସହ-କଳାକାର ଥିବା ଶ୍ରଦ୍ଧା କପୁର, କ୍ରିତି ସାନୋନ୍ ଓ ତାଙ୍କର ବାନ୍ଧବୀ ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଶେଷ ଦର୍ଶନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଏମ୍‌.ଏସ୍‌ ଧୋନି: ଦ ଅନଟୋଲ୍ଡ ଷ୍ଟୋରି ଚଳଚ୍ଚିତ୍ରରେ ଧୋନି ଚରିତ୍ରରେ ଅଭିନୟ କରି ବଲିଉଡରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ଗତକାଲି  ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।  ତେବେ ଦୀର୍ଘ ଦିନ ହେବ ସୁଶାନ୍ତ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।