ଡ୍ରଗ୍ସ କାରବାର ସପ୍ଲାଏ କରି ABCD ଷ୍ଟାର କୋରିଓଗ୍ରାଫର କିଶୋର ସେଟ୍ଟୀ ଗିରଫ

ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ହେଲାଣି। ତଥାପି ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନାହିଁ। କିନ୍ତୁ ଏହି ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ଆଡ଼କୁ ଗତି କରୁଛି। ଡ୍ରଗ୍ସ କାରବାରରେ ଏନ୍‌ସିବି ଟିମ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍‌ଙ୍କ ସମେତ ଆହୁରି ଅନେକ ଲୋକଙ୍କୁ ଗିରଫ କରିସାରିଲାଣି। ତେବେ ନିକଟରେ ସିଟି କ୍ରାଇମ୍‌ ବ୍ରାଞ୍ଚ ପୋଲିସ ଶନିବାର ଡ୍ରଗ୍ସ କେସ୍‌ରେ ଅଭିନେତା କିଶୋର ଅମନ୍‌ ଓରଫ କିଶୋର ସେଟ୍ଟୀଙ୍କୁ ଗିରଫ କରିଛି। କିଶୋରଙ୍କ ଉପରେ ଡ୍ରଗ୍ସ ରଖୁଥିବା ନେଇ ଅଭିଯୋଗ ଆସିଛି।

ଏବେ ଏହି ମାମଲାରେ କିଶୋରଙ୍କୁ ଜେରା ଚାଲିଛି। ସୂଚନାଯୋଗ୍ୟ ଯେ କିଶୋର ଜଣେ ଲୋକପ୍ରିୟ ଡ୍ୟାନ୍ସର। ସେ ରେମୋ ଡିସୁଜାଙ୍କ ଫିଲ୍ମ ABCDରେ ବି କାମ କରିସାରିଛନ୍ତି। ସେ ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ବି ପ୍ରତିଯୋଗୀ ଭାବେ ନଜର ଆସିଛନ୍ତି।

ସୂଚନାଯୋଗ୍ୟ ଯେ ଏବେ ଯାଏଁ ଏନ୍‌ସିବି ଟିମ୍‌ ଡ୍ରଗ୍ସ ମାମଲାରେ ୧୭ରୁ ଅଧିକ ଲୋକଙ୍କୁ ଗିରଫ କରିସାରିଲେଣି। କିଛି ଦିନ ତଳେ ଏନ୍‌ସିବିର ଟିମ୍‌ ମୁମ୍ବାଇରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଥିଲେ। ଏ ଅବସରରେ କୋଟିଏ ଟଙ୍କାର ନିଶା ଦ୍ରବ୍ୟ ଓ ନଗଦ ଲକ୍ଷାଧିକ ଟଙ୍କା ଜବତ ହୋଇଥିଲା।