ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ୩ ମାସ ବିତି ଯାଇଥିଲେ ସୁଦ୍ଧା ଏବେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସିବିଆଇ ସୁଶାନ୍ତ ସଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ, ମିତୁ ସିଂ ଏବଂ ପ୍ରିୟଙ୍କାଙ୍କ ସ୍ୱାମୀ ସିଦ୍ଧାର୍ଥଙ୍କୁ ପଚରାଉଚରା କରିବ ବୋଲି ନିଷ୍ପତ୍ତି ନେଇଛି । ଏନେଇ ସିବିଆଇ ସମନ୍ ଜାରି କରିଛି । ଏହାସହ ଆବଶ୍ୟକ ହେଲେ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ତାଙ୍କ ସମ୍ମୁଖକୁ ଅଣାଯିବ । ସେପଟେ ଲଗାତାର ତିନି ଦିନ ଧରି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରି ରଖାଯାଇଛି ସିବିଆଇ।
ସୂଚନା ଅନୁସାରେ ମିତୁ ସିଂ ଜୁନ୍ ୮ରୁ ଜୁନ୍ ୧୩ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ରହିଥିଲେ। ମିତୁଙ୍କୁ ସେହି ଦିନର ଘଟଣା ବିଷୟରେ ପଚରାଯିବ । ଏହା ବ୍ୟତୀତ ମିତୁଙ୍କ ସହ ସିଦ୍ଧାର୍ଥ ପିଠାନୀ, ଦୀପେଶ ଏବଂ ନୀରଜଙ୍କ ସହ ମଧ୍ୟ ସାମ୍ନାସାମ୍ନି ଜେରା କରାଯାଇପାରେ ।
ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ନିଶାସକ୍ତ ଅବସ୍ଥାରେ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ରିୟା ଚକ୍ରବର୍ତ୍ତୀ। ଏ ସଂପର୍କରେ ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ସିଦ୍ଧାର୍ଥଙ୍କୁ ପଚରାଉଚରା କରିବ ସିବିଆଇ ।
ମିଳିଥିବା ସୂଚନା ଅନୁସାରେ ରିୟା, ତାଙ୍କ ଭାଇ ଶୋଭିକ୍, ସୁଶାନ୍ତଙ୍କ କର୍ମଚାରୀ ନୀରଜ, କେଶବ, ଦୀପେଶ, ବନ୍ଧୁ ସିଦ୍ଧାର୍ଥ ପିଠାନୀ ଏବଂ ରଜତ ମେୱାତୀଙ୍କୁ ଆଉ କିଛି ଦିନ ପଚରାଉଚରା କରାଯିବ। ଏପର୍ଯ୍ୟନ୍ତ ପଚରାଯାଇଥିବା ପ୍ରଶ୍ନରେ ସିବିଆଇ ପୂର୍ବ ପ୍ରଶ୍ନର ପୁନରାବୃତ୍ତି କରିଛି ।