ଅନ୍ତର୍ଜାତୀୟ ବିଜ୍ଞାନ ଜର୍ଣ୍ଣାଲ୍‌ରେ ସ୍ଥାନ ପାଇବ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ବିବରଣୀ

ନୂଆଦିଲ୍ଲୀ : ଯୋଡ଼ା ମୁଣ୍ଡରୁ ଅଲଗା ହୋଇ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଗା-ବଳିଆଙ୍କ ବିରଳ ତଥା ଜଟିଳ ଅସ୍ତ୍ରୋପଚାର ବିବରଣୀକୁ ଏମ୍ସ ପକ୍ଷରୁ ଅର୍ନ୍ତଜାତୀୟ ବିଜ୍ଞାନ ଜର୍ଣ୍ଣାଲ୍‌ଗୁଡ଼ିକରେ ପ୍ରକାଶ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏଭଳି ଏକ ଅସ୍ତ୍ରୋପଚାରର ସମସ୍ତ ଦିଗ ଓ ପ୍ରସଙ୍ଗକୁ ବିଶ୍ବସ୍ତରୀୟ ଗବେଷଣା ପତ୍ରିକାରେ ପ୍ରକାଶ କରାଯିବା ଦ୍ବାରା ବିଶ୍ବର କୋଣ-ଅନୁକୋଣରେ ଦିଲ୍ଲୀ ଏମ୍ସର ସଫଳତା ପହଞ୍ଚିପାରିବ। ସୂଚନାଯୋଗ୍ୟ ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ପଛରେ ଡାକ୍ତର ମାନଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଉଲ୍ଲେଖ କରିବା ସହିତ ଏଭଳି ଉପଲବ୍ଧିକୁ ଇଣ୍ଟରନ୍ୟାସନାଲ ବିଜ୍ଞାନ ଜର୍ଣ୍ଣାଲ୍‌ରେ ପ୍ରକାଶିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତର ହର୍ଷବର୍ଦ୍ଧନଙ୍କର ପରାମର୍ଶ ପରେ ଜଗା-ବଳିଆଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସେମାନଙ୍କ ସମ୍ବନ୍ଧିତ ବିଭାଗ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ଅପରେସନ ସମ୍ପର୍କିତ ଅନେକ ଅକୁହା କଥାକୁ ଗବେଷଣା ପତ୍ରପତ୍ରିକାରେ ବ୍ୟାଖ୍ୟା କରିବେ ବୋଲି ନିଷ୍ପତି ନେଇଥିବା ସୂତ୍ରରୁ ଜଣାପଡ଼ିଛି। ଏମ୍ସ ସୂତ୍ରରୁ ଜଣାପଡ଼ିଛି ଯେ ଆମେରିକାରେ ୨୦୧୬ ରେ ଯୋଡ଼ା ମୁଣ୍ଡ ଶିଶୁଙ୍କର ଏକ ସଫଳ ଅସ୍ତ୍ରୋପଚାର ହୋଇଥିଲା ଏବଂ ତା’ପରେ ୨୦୧୭ରେ ଜଗା-ବଳିଆଙ୍କର ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ସଫଳ ହୋଇଛି।