ଆଇସୋଲେସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ

ନୂଆଦିଲ୍ଲୀ: ସାଉଦିଆରବରୁ ଫେରିବା ପରେ ସ୍ୱଇଚ୍ଛାରେ ଆଇସୋଲେସନରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ରକ୍ତ ନମୂନା ରିପୋର୍ଟ ନେଗେଟିଭ୍ ଆସିଥଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସୁରେଶ ପ୍ରଭୁ ମାର୍ଚ୍ଚ ୧୦ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଉଦି ଆରବ ଯାଇଥିଲେ  ଏବଂ ଫେରିବା ପରେ କରୋନା ଭାଇରସ୍ ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଏହା ସହିତ ଏକାଧିକ ବଲିଉଡ୍ ଷ୍ଟାର ଆଇସୋଲେସନରେ ରହିଥିବା ନେଇ ସୂଚନା ଦେଇଛନ୍ତି ।

ତେଣେ ବୁଧବାର ସକାଳ ୦୯: ୦୦ ସୁଦ୍ଧା ଭାରତରେ କୋରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଂଚିଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟସୂତ୍ରରୁ ଜଣାପଡ଼ିଛି। ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ୧୨୨ଜଣ ଭାରତୀୟ ଏବଂ ୨୫ଜଣ ବିଦେଶୀ ନାଗରିକ।

କୋରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଭାରତୀୟ ନାଗରିକମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ୧, ଦିଲ୍ଲୀର ୯, ହରିୟାଣାର ୨, କର୍ଣ୍ଣାଟକର ୧୧, କେରଳର ୨୫, ମହାରାଷ୍ଟ୍ରର ୩୮, ଓଡ଼ିଶାର ୧, ପଞ୍ଜାବର ୧, ରାଜସ୍ଥାନର ୨, ତାମିଲନାଡୁର ୧, ତେଲେଙ୍ଗାନାର ୩, ଜମ୍ମୁ ଓ କଶ୍ମୀରର ୩ , ଲଦାଖର ୮, ଉତର ପ୍ରଦେଶର ୧୫, ଉତରାଖଣ୍ଡର ୧ ଓ ପଶ୍ଚିମବଙ୍ଗର ୧ ବ୍ୟକ୍ତି।