କଂଗ୍ରେସ ଛାଡିବେ ରଞ୍ଜିବ ! ସୁର କହିଲେ ଅଗାଡି ପଳାଇଲେ ଭଲ ଚାଷ ହେବ

ଭୁବନେଶ୍ବର : ନିର୍ବାଚନ ସରିଲାଣି ୩ମାସ ପୂର୍ବରୁ, ଚୁପ୍ ଥିଲେ କଂଗ୍ରେସ ନେତା ରଂଜୀବ ବିଶ୍ବାଳ । ସଂସଦରେ ଯେତେବେଳେ ଟ୍ରିପଲ ତଲାକ ବିଲ୍ ଓ ଧାରା ୩୭୦ ଉଛେଦ ଭଳି ଗୁରୁତ୍ବପୂର୍ଣ ବିଲ୍ ଉପରେ ଭୋଟିଙ୍ଗ ହେଉଥିଲା ସେତେବେଳେ ଅନୁପସ୍ଥିତ ଥିଲେ ରଂଜୀବ । ସଂସଦରେ ଉପସ୍ଥିତ ରହିବାକୁ କଂଗ୍ରେସ ସଦସ୍ୟଙ୍କୁ ହୁଇପ୍ ଜାରି ହୋଇଥିଲା ହେଲେ କାହିଁକି ସେ ଅନୁପସ୍ଥିତ ଥିଲେ ସେଥିରେ ବି ଚୁପ୍ ଥିଲେ । ଏବେ କିନ୍ତୁ ମୁହଁ ଖୋଲିଛନ୍ତି ରଂଜୀବ । ଯାହା ସଂଙ୍କେତ ଦେଇଛନ୍ତି ତାହା କଂଗ୍ରେସ ନେ୍ତା ଓ କର୍ମିଙ୍କୁ ବି କନଫ୍ୟୁଜ କରିଛି । ଚର୍ଚା, ରଂଜୀବଙ୍କ ମନ କଂଗ୍ରେସ ଘରେ ଆଉ ନାହିଁ ।

ସାରା ଦେଶ ତଥା ଓଡିଶାରେ ଯେତେବେଳେ କଂଗ୍ରେସ ଡଙ୍ଗା ବୁଡିବା ଅବସ୍ଥାରେ ସେତେବେଳେ ରଂଜୀବ ବିଶ୍ବାଳଙ୍କ ଭଳି କଟ୍ଟର କଂଗ୍ରେସ ନେତା ଅନ୍ୟ ଡଙ୍ଗାକୁ ଡେଇଁବା ଇସାରା ଦେଲେଣି । ରଂଜୀବଙ୍କ ମନ୍ତବ୍ୟରୁ ଏ ସଂକେତ ମିଳୁଛି ଯେ ସେ ବିକଳ୍ପ ଚିନ୍ତା କରୁଛନ୍ତି । କିନ୍ତୁ କଂଗ୍ରେସର ନିର୍ବାଚନ ଫଳାଫଳକୁ ନେଇ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ବି କିଛି କମ୍ କଥାନୁହେଁ । ଗ୍ରାଉଣ୍ଡ ରିଅଲିଟି ନବୁଝି ଟିକେଟ ଦିଆଯିବା କାରଣରୁ ଦଳର ଏଭଳି ହାଲ ହେଲା ବୋଲି ସେ ଯୁକ୍ତି ବାଢିଛନ୍ତି ।

ରାଜ୍ୟ କଂଗ୍ରେସରେ ଯେତେବେଳେ ନୂଆ ପିସିସି ସଭାପତି ନେଇ ଚର୍ଚା ଚାଲିଛି ଏବଂ ରଂଜୀବ ବିଶ୍ବାଳଙ୍କ ନାଁ  ବି ଉଠୁଛି କିନ୍ତୁ ରଂଜୀବଙ୍କ ସଂଙ୍କେତ ଭିନ୍ନ କଥା ସାମ୍ନାକୁ ଆଣିଛି ।  ଟ୍ରିପଲ ତଲାକ ଓ ଧାରା ୩୭୦ ଉଛେଦ ବେଳେ ରଂଜୀବ ବିଶ୍ବାଳ ରାଜ୍ୟସଭାରେ ଉପସ୍ଥିତ ନରହିବା ତାଙ୍କର କଂଗ୍ରେସ ପ୍ରତି କମିଟମେଣ୍ଟ ଉପରେ ପ୍ରଶ୍ନ ଚିହ୍ନ ଉଠାଛି । ରଂଜୀବଙ୍କ ଆଭିମୁଖ୍ୟ ଦେଖି ସୁରେଶ ରାଉତରାୟଙ୍କ ଭଳି ବରିଷ୍ଠ ନେତାଙ୍କ ଯୁକ୍ତି କଂଗ୍ରେସ ଦଳ ସାହାଣ ମେଲା । ଅଗାଡି ପଳେଇଲେ ଭଲ ଚାଷ ହେବ ।

ରଂଜୀବଙ୍କ ରାଜ୍ୟସଭା ଟର୍ମ ପୁରିବ ୨୦୨୦ ଏପ୍ରିଲରେ । ଅର୍ଥାତ ଆଉ ରହିଲା ମାତ୍ର ୮ ମାସ । ଏହାପରେ ସେ କଂଗ୍ରେସରେ ରହିବେ ନା ବିଜେପି,ବିଜେଡି କ୍ୟାମ୍ପକୁ ଡେଇଁବେ ସେତେବେଳେ ସ୍ପଷ୍ଟ ହେବ। କିନ୍ତୁ ସେ ବିଜେପି କ୍ୟାମ୍ପକୁ ଯାଇପାରନ୍ତି ବୋଲି ଚର୍ଚା ହେଉଛି ।