ପୁଣି ଘୁଂଚିଲା ସାବରିମାଳା ରାୟ

ନୂଆଦିଲ୍ଲୀ: ପୁଣିଥରେ ଘୁଂଚିଲା ସାବରିମାଳା ରାୟ । ସାବରିମାଲା ଏବଂ ସେଥିସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟର ୯ଜଣ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଓକିଲମାନଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େଙ୍କ ନେତୃତ୍ୱାଧୀନ ଖଣ୍ଡପୀଠର ବିଚାରପତି ଆର୍‌ ବାନୁମତୀ, ଅଶୋକ ଭୂଷଣ, ଏଲ୍‌ ନାଗେଶ୍ୱର ରାଓ, ମୋହନ ଏମ୍‌ ଶାନ୍ତାଗୌଦର, ଅବ୍ଦୁଲ୍‌ ମାଜୀର, ସୁଧାଶ ରେଡ୍ଡୀ, ବିଆର୍‌ ଗୱାଇ ଏବଂ ସୂର୍ଯ୍ୟକାନ୍ତ ଏହି ଆଦେଶ ଦେଇଛନ୍ତି। ଅଦାଲତଙ୍କ ଆଦେଶ ଅନୁସାରେ ଜାନୁଆରି ୧୭ ତାରିଖ ଦିନ ଓକିଲମାନେ ଏକତ୍ର ହେବେ।

ଶୁଣାଣି ଲାଗି ସୋମବାର ଖଣ୍ଡପୀଠ ସମ୍ମିଳିତ ହେବା ମାତ୍ରେ ଭାରତର ପ୍ରଧାନ ବିଚାରପତି ସ୍ପଷ୍ଟ ଭାବେ କହିଲେ, ଆମେ ରିଭିଉ ପିଟିସନ୍‌ଗୁଡ଼ିକର ଶୁଣାଣି କରୁନାହୁଁ। ପାଂଚ ଜଣିଆ ଖଣ୍ଡପୀଠ ଯେଉଁ ସାତଟି ପ୍ରଶ୍ନ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ କରିଥିଲେ ଆମେ କେବଳ ସେଗୁଡ଼ିକର ଶୁଣାଣି କରିବୁ ।

ବହୁ ଚର୍ଚ୍ଚିତ କେରଳର ସବରିମାଳା ମନ୍ଦିରରେ ସମସ୍ତ ଆୟୁ ବର୍ଗର ମହିଳାଙ୍କ ପ୍ରବେଶକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପୁନର୍ବିଚାର ଯାଚିକା ବୃହତମ ବେଂଚ ନିକଟକୁ ପଠାଯାଇଛି। ସୁପ୍ରମକୋର୍ଟ ସବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ମନା କରି ଦେଇଛନ୍ତି। ଏବେ ଏହି ମାମଲାରେ ୭ ଜଣିଆ ସାମ୍ଵିଧାନିକ ଖଣ୍ଡପୀଠ ରାୟ ଶୁଣାଇବେ।

କେଉଁ କେଉଁ ସମସ୍ୟା ଉପରେ ଯୁକ୍ତି ବାଢ଼ିବେ ଓକିଲମାନେ ନିଜ ନିଜ ମଧ୍ୟରେ ସେସବୁ ଆଲୋଚନା କରନ୍ତୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏଥିପାଇଁ ସେ ଓକିଲମାନଙ୍କୁ ଅଯୋଧ୍ୟା ମାମଲାର ଦୃଷ୍ଟାନ୍ତ ଦେଇଥିଲେ। ସେ କହିଲେ କି, ଅଯୋଧ୍ୟା ମାମଲାରେ ବରିଷ୍ଠ ଆଡ୍‌ଭୋକେଟ୍‌ ରାଜୀବ ଧାଓ୍ଵନ ଏବଂ ବୈଦ୍ୟନାଥନ ଯେଉଁ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ଆମେ ସେ ସବୁକୁ ଅନୁସରଣ କରିବା ଉଚିତ।