ନିର୍ଭୟା ମାମଲା: ଆସନ୍ତାକାଲି ମୁକେଶର ଆବେଦନର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ ହେବାପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ସେ। ଯାହାର ଶୁଣାଣି ଆସନ୍ତାକାଲି ମଧ୍ୟାହ୍ନ ୧୨.୩୦ ସମୟରେ ହେବ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ପାଖେଇ ଆସୁଥିବାବେଳେ ଏହି ମାମଲାର ତୁରନ୍ତ ଶୁଣାଣି ଜରୁରୀ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ କହିଥିଲେ । ସୋମବାର ଏହି ମାମଲାର ତୁରନ୍ତ ଶୁଣାଣି କରିବା ସହ ରେଜିଷ୍ଟ୍ରି କରିବାକୁ ସେ କୋର୍ଟକୁ ପରାମର୍ଶ ଦେଇଥିଲେ ।

ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଖୁଂଟରେ ଝୁଲାଯିବ। କିନ୍ତୁ ସେମାନଙ୍କ ବିରୋଧରେ ‘ଡେଥ ୱାରେଂଟ’ ଜାରି ହେବା ପରଠାରୁ ବିଭିନ୍ନ ଆଳ ଦେଖାଇ ଗୋଟିଏ ପରେ ଗୋଟିଏ ଆବେଦନ କରିଚାଲିଛନ୍ତି ଦୋଷୀ । ଏହି କ୍ରମରେ ଦୋଷୀ ମୁକେଶ ଏଥିରୁ ବର୍ତିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ଯାହାକୁ ପରବର୍ତୀ ପର‌୍ୟ୍ୟାୟରେ ଖାରଜ କରିଦେଇଥିଲେ ରାଷ୍ଟ୍ରପତି । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ମୁକେଶର ଓକିଲ ସୁପ୍ରିକୋର୍ଟରେ ଯାଚିକା ଦାଖଲ କରି ଏହାର ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ।