୨୬ରେ ରାମଜନ୍ମଭୂମି ବାବରୀ ମସଜିଦ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମଜନ୍ମଭୂମି ବାବରୀ ମସଜିଦ୍ ମାମଲାର ଶୁଣାଣି ଫେବୃଆରୀ ୨୬ରେ ସୁପ୍ରିମକୋର୍ଟ କରିବେ ବୋଲି ଜଣାପଡ଼ିଛି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ଜଷ୍ଟିସ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ବୋବଡେ, ଡିଓ୍ବାଇ ଚନ୍ଦ୍ରଚୂଡ, ଅଶୋକ ଭୂଷଣ ଓ ଏସଏ ନାଜିର ମଧ୍ୟ ସଦସ୍ୟ ଅଛନ୍ତି । ଗତ ଜାନୁୟାରୀ ୨୯ରେ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇଦିଆଯାଇଥିଲା । କିନ୍ତୁ କୌଣସି ତାରିଖ ଘୋଷଣା କରାଯାଇନଥିଲା । ୨୦୧୮ ଅକ୍ଟୋବରରେ ଶୁଣାଣି ହେବାକୁ ଥିବା ରାମଜନ୍ମଭୂମି-ବାବରୀ ମସଜିଦ୍ ମାମଲାର ଶୁଣାଣି ଘୁଞ୍ଚିଘୁଞ୍ଚି ଚାଲିଛି । ଜାନୁଆରି ୪ ତାରିଖରେ ମୁଖ୍ୟବିଚାରପତି ଗୋଗୋଇ ଏହି ମାମଲାର ବିଚାର ଲାଗି ଏକ ଖଣ୍ଡପୀଠ ଗଠନ କରିଥିଲେ। କିନ୍ତୁ ଜାନୁୟାରୀ ୧୦ ତାରିଖରେ ଜଷ୍ଟିସ୍ ୟୁ.ୟୁ ଲଲିତ ବିଚାରରୁ ଓହରି ଯିବାକୁ ଇଚ୍ଛାପ୍ରକାଶ କରିଥିଲେ। କାରଣ ୨୦ ବର୍ଷ ପୂର୍ବରୁ ସେ ଏହି ମାମଲାରେ ଗୋଟିଏ ପକ୍ଷର ଓକିଲ ଭାବେ କାର‌୍ୟ୍ୟ କରିଥିଲେ। ରାମ ଜନ୍ମଭୂମି ବାବରୀ ମସଜିଦ୍ ବିବାଦ ବିଗତ କିଛି ଦଶନ୍ଧୀ ଧରି ଲଟକି ରହିଛି। ୬, ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବରୀ ମସଜିଦ୍କୁ ଭାଙ୍ଗି ଦିଆଯାଇଥିଲା। ଏ ବାବଦରେ ଅପରାଧିକ ମାମଲା ସହିତ ଜମିଜମା ମକଦମା ମଧ୍ୟ ଚାଲିଛି। ମୂଳ ବିବାଦ ସହିତ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।