ହାଇଦ୍ରାବାଦ ଏନକାଉଂଟର ଘଟଣା: ୧୧ରେ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ପରେ ପୋଡି ଦେବା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଂଟରକୁ ନେଇ ସୁପ୍ରିମକୋର୍ଟ ୧୧ ତାରିଖରେ ଏହାର ଶୁଣାଣି କରିବେ । ଉକ୍ତ ଏନକାଉଂଟର ବେଆଇନ ବୋଲି ଦର୍ଶାଇ ଆଇନୀଜୀ ଜିଏସ୍ ମଣୀ ଏବଂ ପ୍ରଦୀପ କୁମାର ଯାଦବ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ଏନକାଉଂଟରେ ସାମିଲ ଥିବା ଅଧିକାରୀଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି କୋର୍ଟରେ ଦାବି ହୋଇଛି ।

ପ୍ରକାଶ ଯେ, ମହିଳା ଭେଟେନାରୀ ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗତ ୬ ତାରିଖରେ ଏନକାଉଂଟର କରିଛି। ଅଭିଯୁକ୍ତମାନେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ଥିଲେ। ଘଟଣାସ୍ଥଳକୁ ରିକ୍ରିଏସନ ପାଇଁ ଶୁକ୍ରବାର ଭୋର ୩ଟା ସମୟରେ ଅଭିଯୁକ୍ତଙ୍କୁ ଆଣିଥିଲା ପୋଲିସ। ହେଲେ ସେଠାରେ ଅଭିଯୁକ୍ତମାନେ ପୋଲିସ ପାଖରୁ ବନ୍ଧୁକ ଛଡ଼ାଇ ନେଇ ଆକ୍ରମଣ କରିଥିଲେ। ଜବାବରେ ପୋଲିସ ଅଭିଯୁକ୍ତଙ୍କ ଉପରକୁ ଏନକାଉଂଟର କରିଥିଲା ବୋଲି ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନର କହିଥିଲେ।

ପୋଲିସର ଏନକାଉଂଟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି କିଛି ମାନବାଧିକାର ସଂଗଠନ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଅଭିଯୁକ୍ତଙ୍କ ଶବକୁ ୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ପୁଲିସର ଏନକାଉଂଟରକୁ କିନ୍ତୁ ଅନେକ କ୍ଷେତ୍ରରେ ମଧ୍ୟ ପ୍ରଶଂସା କରାଯାଇଛି।