ନୂଆଦିଲ୍ଲୀ, ଅଗଷ୍ଟ ୨୬(ଖବର ଓଡିଶା):
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଜବରଦସ୍ତ ଝଟକା ଲାଗିଛି । ଦିଲ୍ଲୀ ହାଇକୋର୍ଟଙ୍କ ରାୟଙ୍କୁ ବିରୋଧ କରି ଦାୟର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।
ସୁପ୍ରିମକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଯାଚିକା ଉପରେ ଆଜି ଶୁଣାଣି କରିଛନ୍ତି । ଆଇଅନଏକସ୍ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଖାରଜ କରିଦେଇଥିଲେ । ଯାହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ଆଜି କୋର୍ଟରୁ ଚିଦାମ୍ବରମଙ୍କୁ ଜୋରଦାର ଝଟକା ଲାଗିଛି । କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଆଗୁଆ ଜାମିନ ଯାଚିକାକୁ ଖାରଜ କରିଛନ୍ତି । ଚିଦାଙ୍କ ଆବେଦନର କୌଣସୀ ଗୁରୁତ୍ୱ ନାହିଁ । ଅଭିଯୁକ୍ତ ଚିହ୍ନଟ ହୋଇ ସାରିଛନ୍ତି ବୋଲି କୋର୍ଟ କହିବା ସହ ଆବେଦନକୁ ଗ୍ରହଣ କରିବାକୁ ମନା କରିଛନ୍ତି । ଏପରିକି ଉପଯୁକ୍ତ ଅଦାଲତ ଯିବାକୁ କୋର୍ଟ କହିଛନ୍ତି ା
ଜଷ୍ଟିସ ଆର୍ ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଉପରୋକ୍ତ ଯାଚିକା ସହ ସେହି ଯାଚିକା ଉପରେ ମଧ୍ୟ ଶୁଣାଣି କରିଥିଲେ ଯେଉଁଥିରେ ଚିଦାମ୍ବରମଙ୍କୁ ତଳ କୋର୍ଟ ଗିରଫ ୱାରେଂଟ୍ ଜାରି କରିବା ଓ ସିବିଆଇ ରିମାଣ୍ଡ ନେଇ ଅନୁମତି ଦେଇଥିଲେ ।
ଏହା ପୂର୍ବରୁ ହାଇକୋର୍ଟଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ ଦେଇଥିବା ଯାଚିକାକୁ କୋର୍ଟ ୨୦ ଏବଂ ୨୧ ଅଗଷ୍ଟରେ ଶୁଣାଣି କରିବା ପାଇଁ ମନା କରିଦେଇଥିଲେ । ଏହାପରେ ସିବିଆଇ ଚିଦାମ୍ବରମଙ୍କୁ ୨୧ ତାରିଖରେ ଗିରଫ କରିଥିଲା । ତାଙ୍କୁ ୨୨ ଅଗଷ୍ଟରେ ତଳ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ ତାଙ୍କୁ ସିବିଆଇ ୪ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଥିଲା ।