କାର୍ଯ୍ୟରତ ସୁରକ୍ଷାବଳ କର୍ମୀଙ୍କ ଉପରେ ପଥର ଫିଙ୍ଗା ଘଟଣା: କାରଣ ଦର୍ଶାଅ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ଥିବା ସୁରକ୍ଷାବଳର କର୍ମୀଙ୍କ ଉପରକୁ ସଂଘବଦ୍ଧ ହୋଇ ପଥର ଫିଙ୍ଗା ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟ ନିଜର ରାୟ ରଖିଛନ୍ତି । ଏହାର ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏହାଦ୍ୱାରା ସେମାନଙ୍କ ଅଧିକାରର ହନନ କରାଯାଉଛି ବୋଲି କହିଛନ୍ତି । ଏଥିସହ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଓ ଜଷ୍ଟିସ୍‌ ସଞ୍ଜୀବ୍‌ ଖାନ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏସଂପର୍କିତ ଆଗତ ଏକ ଯାଚିକାର ଶୁଣାଣି କରି ଏସମ୍ପର୍କରେ କେନ୍ଦ୍ର ସରକାର, ପ୍ରତିରକ୍ଷା ବିଭାଗ, ଜମ୍ମୁ- କଶ୍ମୀର ସରକାର ଏବଂ ମାନବ ଅଧିକାର ସୁରକ୍ଷା କମିଶନଙ୍କ ଉପରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ, ସିଆରପିଏଫ୍‌ର ଜନୈକ ଅବସରପ୍ରାପ୍ତ ନାଏବ ସୁବେଦାରଙ୍କ ୨୦ ବର୍ଷ ବୟସ୍କା କନ୍ୟା କାଜଲ୍‌ ମିଶ୍ର ଓ ବର୍ତ୍ତମାନ ସେନା ବାହିନୀରେ ଲେଫଟନାଣ୍ଟ କର୍ଣ୍ଣେଲ ଥିବା କେଦାର ଗୋଖ୍‌ଲେଙ୍କ ୧୯ ବର୍ଷ ବୟସ୍କା କନ୍ୟା ପ୍ରୀତି କେଦାର ଗୋଖ୍‌ଲେ ମିଳିତ ଭାବେ ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରିଥିଲେ। ଆଗତ ଯାଚିକାରେ ସେମାନେ ଜମ୍ମୁ- କଶ୍ମୀରରେ ମୁତୟନ ଥିବା ସୁରକ୍ଷା ବଳର କର୍ମୀମାନେ କାର‌୍ୟ୍ୟରତ ଥିବା ଅବସ୍ଥାରେ ସେମାନଙ୍କ ଉପରକୁ ସଂଘବଦ୍ଧ ଭାବେ ପଥର ଫୋପଡ଼ା ଯାଇ ସେମାନଙ୍କ ମାନବିକ ଅଧିକାରର ହନନ କରାଯାଉଛି ବୋଲି ଅଭିଯୋଗ କରିବା ସହ ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଓ ଜଷ୍ଟିସ୍‌ ସଞ୍ଜୀବ୍‌ ଖାନ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏହି ମାମଲାକୁ ଗ୍ରହଣ କରିବା ସହ ନୋଟିସ୍‌ ଜାରି କରିଛନ୍ତି।