ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ମାମଲା

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆଜି ଏକ ମାମଲା ଆଗତ ହୋଇଛି। ଅତ୍ୟନ୍ତ ତରବରିଆ ଭାବେ ରାଷ୍ଟ୍ରପତିଙ୍କ ଏକ ଆଦେଶ ଭିତ୍ତିରେ ଜମ୍ମୁ- କଶ୍ମୀରରୁ କେନ୍ଦ୍ର ସରକାର ଯେଉଁ ଢ଼ଙ୍ଗରେ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିଦେଲେ ତାହା ସଂପୂର୍ଣ୍ଣ ‘ବେଆଇନ୍‌’ ଥିବା ଅଭିଯୋଗ କରି ଏମ୍‌ ଏଲ୍‌ ଶର୍ମା ନାମକ ଜନୈକ ଆଇନ୍‌ଜୀବୀ ସୁପ୍ରିମ୍‌ କୋର୍ଟରେ ଏହି ମାମଲା ଆଗତ କରିଛନ୍ତି। ୩୭୦ ଧାରାର ଉଚ୍ଛେଦ ପୂର୍ବରୁ କେନ୍ଦ୍ର ସରକାର ଜମ୍ମୁ- କଶ୍ମୀର ବିଧାନସଭା ସହ କୌଣସି ଆଲୋଚନା ନକରି ଏକତରଫା ଭାବେ ଏହି ନିଷ୍ପତ୍ତି ନେଇ ଥିବାରୁ ଏହାକୁ ଅସିଦ୍ଧ ଘୋଷଣା କରିବା ପାଇଁ ଆଗତ ଯାଚିକାରେ ଅଦାଲତଙ୍କୁ ଅନୁରୋଧ କରାଯାଇଛି।