ଦାଗୀନେତା ନିର୍ବାଚନ ଲଢିବେ କି ନାହିଁ ନିଷ୍ପତି ପାର୍ଲମେଣ୍ଟ ନେଉ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣ ରୋକିବାକୁ ପାର୍ଲାମେଣ୍ଟ ପଦକ୍ଷେପ ନେଉ । ଗୁରୁତର ଅପରାଧରେ ସଂପୃକ୍ତ ବ୍ୟକ୍ତିବିଶେଷ ଯେଭଳି ରାଜନୀତିରେ ପ୍ରବେଶ ନକରନ୍ତି, ସେଥି ପାଇଁ ଆଇନ ଅଣାଯାଉ । ଗୁରୁତର ଅପରାଧରେ ଜଡ଼ିତ ବ୍ୟକ୍ତି ନିର୍ବାଚନ ଲଢ଼ିବା ଉଚିତ ନା ଉଚିତ ନୁହେଁ, ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏମିତି କହିଛନ୍ତି । ଲକ୍ଷ୍ମଣରେଖା ଏପଟେ ରହି ପାର୍ଲାମେଣ୍ଟ ଉପରେ ଦାୟିତ୍ବ ଛାଡ଼ି ଦେଇଛନ୍ତି । କିନ୍ତୁ ରଖି ଦେଇଛନ୍ତି ଅନେକ କଠିନ ସର୍ତ୍ତ ।

ଗୁରୁତର ଅପରାଧରେ ସଂପୃକ୍ତ ବ୍ୟକ୍ତିବିଶେଷ ଯେମିତି ବିଧାନସଭା କିମ୍ବା ପାର୍ଲାମେଣ୍ଟରେ ପ୍ରବେଶ କରିବାର ସୁଯୋଗ ନପାଆନ୍ତି, ସେଥି ପାଇଁ କଡ଼ା ଆଇନ ଆଣ । ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ, ପାର୍ଲାମେଣ୍ଟକୁ ଏମିତି କହିଛନ୍ତି । ରାଜନୀତିର ଅପରାଧିକରଣ ଗଣତନ୍ତ୍ରକୁ ଦୋହଲାଇ ଦେଇଥିବା ବେଳେ ଗୁରୁତର ଅପରାଧରେ ଜଡ଼ିତ ବ୍ୟକ୍ତିବିଶେଷ ନିର୍ବାଚନ ଲଢ଼ି ପାରିବେ ନା ଲଢ଼ି ପାରିବେନି, ତାହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ତେବେ ମାମଲା ଉପରେ ଶୁଣାଣି କରି ପାର୍ଲାମେଣ୍ଟ ଉପରେ ଦାୟିତ୍ବ ଛାଡ଼ି ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ପାର୍ଲାମେଣ୍ଟ ସିନା ଆଇନ ଆଣିବାକୁ ସୁପ୍ରିମକୋର୍ଟ କହିଲେ, କିନ୍ତୁ ରାଜନୈତିକ ଦଳ ଓ ଗୁରୁତର ଅପରାଧରେ ସଂପୃକ୍ତ ନେତାଙ୍କ ପାଇଁ କଠିନ ସର୍ତ୍ତ ରଖିଛନ୍ତି । ସତ୍ୟପାଠ ଦାଖଲ ବେଳେ ଦାଗି ନେତାମାନେ ସେମାନଙ୍କ ନାଁ ଏବଂ ଅପରାଧ ବାବଦରେ ଦୃଷ୍ଟି ଆକର୍ଷଣ କଲା ଭଳି ବୋଲ୍ଡ ଅକ୍ଷରରେ ଲେଖିବେ । ରାଜନୈତିକ ଦଳ ସେମାନଙ୍କ ୱେବସାଇଟରେ ଦାଗୀ ନେତାଙ୍କ ବାବଦରେ ବିସ୍ତୃତ ଭାବେ ଉଲ୍ଲେଖ କରିବେ । ପୁଣି ନିର୍ବାଚନ ବେଳେ ସଂପୃକ୍ତ ନେତାଙ୍କ ଏରିଆରେ, ସ୍ଥାନୀୟ ଗଣମାଧ୍ୟମରେ ତାଙ୍କ ଅପରାଧିକ ପୃଷ୍ଠଭୂମି ବାବଦରେ ଭଲ ରକମ ପ୍ରଚାର କରାଯିବ । ଯାହା ଭୋଟିଂ ବେଳେ ଲୋକଙ୍କୁ ଅନେକ ମାତ୍ରାରେ ସଚେତନ କରିବ ବୋଲି ସୁପ୍ରିମକୋର୍ଟ ଆଶା ରଖିଛନ୍ତି ।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ତରଫରୁ କେ. କେ. ବେଣୁଗୋପାଳ ଉପସ୍ଥିତ ଥିଲେ । ଅପରାଧ ଅଭିଯୋଗରେ ସଂପୃକ୍ତ ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ନଦେବା କିମ୍ବା ଦଳୀୟ ଟିକେଟ୍ ନଦେବା, ତାଙ୍କ ଭୋଟ୍ ଦାନ ଅଧିକାରର ଉଲ୍ଲଘଂନ ବୋଲି କହିଥିଲେ ଆଟର୍ଣ୍ଣି ଜେନେରାଲ୍ । ପ୍ରତିବଦଳରେ ଫାଷ୍ଟ ଟ୍ରାକ୍ କୋର୍ଟର ପ୍ରସ୍ତାବ ଦେଇଥିଲେ ସେ ।
ବର୍ତ୍ତମାନର ଲୋକ ପ୍ରତିନିଧି ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିବିଶେଷ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେ ନିର୍ବାଚନ ଲଢ଼ିପାରିବେ ନାହିଁ । କିନ୍ତୁ ଦୁଃଖର ବିଷୟ, ଏହା ରାଜନୀତିରେ ଅପରାଧୀଙ୍କ ପ୍ରବେଶକୁ ରୋକିପାରି ନାହିଁ । ଚଳିତବର୍ଷ ପ୍ରଥମାର୍ଦ୍ଧରେ କେନ୍ଦ୍ର ସରକାର, ସୁପ୍ରିମକୋର୍ଟରେ ଦେଇଥିବା ତଥ୍ୟ ଅନୁଯାୟୀ, ସାରା ଦେଶର ୩୬ ପ୍ରତିଶତ ଲୋକ ପ୍ରତିନିଧି ବା ୧୭୬୫ ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଭିନ୍ନ କୋର୍ଟରେ ୩ ହଜରା ୪୫ଟି ଅପରାଧିକ ମାମଲା ରହିଛି ।