ତିନି ତଲାକ ବିଲ୍‌ର ସାମ୍ବିଧାନିକ ବୈଧତାର ଶୁଣାଣୀ କରିବେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ୍‌

ନୂଆଦିଲ୍ଲୀ:ତିନି ତଲାକ ଏକ ଦଣ୍ଡନୀୟ ଅପରାଧ ଆଇନର ସାମ୍ବିଧାନିକ ବୈଧତତା ନେଇ ଆବେଦନ କରାଯାଇଥିବା ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣୀ କରିବେ । ଏହି ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି ଶୁଣାଣୀ ପାଇଁ ସହମତି ପ୍ରକାଶ କରିଛନ୍ତି । ଏ ନେଇ କୋର୍ଟ ପକ୍ଷ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

ତିନି ତଲାକ ଆଇନ-୨୦୧୯ର ସାମ୍ବିଧାନିକ ବୈଧତା ନେଇ ଜମୀୟତ ଉଲମା-ଏ-ହିନ୍ଦ ଗୁରୁବାର ସୁପ୍ରିମକୋର୍ଟରେ ଆବେଚନ କରିଥିଲେ । ଏହା ସହିତ ଆଇନ ଉପରେ ରୋକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି । ମହିଳା ସଂରକ୍ଷଣ ଆଇନ -୨୦୧୯ ସମ୍ବିଧାନର ମୂଳଭାବନାର ଅନୁରୂପ ନୁହେଁ । ତେଣୁ ତିନି ତଲାକ ଆଇନ ଉପରେ ରୋକ୍‌ ଲଗାଇବାକୁ ଉଲମା-ଏ-ହିନ୍ଦ ଯାଚିକାରେ କହିଛି । ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହୋଇ ନ ଥିବାବେଳେ କୋର୍ଟରେ ନିଜର ପକ୍ଷ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି ହୋଇଛି ।

ଏହା ପୂର୍ବରୁ ସଂଗଠନର ମହାସଚିବ ମୌଲାନା ମହମ୍ମଦ ମଦନୀ କହିଥିଲେ ଯେ ତିନି ତଲାକ ବିଲ୍‌ ମସୁଲିମ୍‌ ମହିଳାଙ୍କ ପ୍ରତି ଅନ୍ୟାୟ । ଯେଉଁ ମୁସଲିମ୍‌ ମହିଳାଙ୍କ ଛାଡ଼ପତ୍ର ପାଇଥିବେ ସେମାନଙ୍କ ସହିତ ନ୍ୟାୟ ହେବ ନାହିଁ ।