ସୁପ୍ରିମକୋର୍ଟରେ ରାହୁଲଗାନ୍ଧୀଙ୍କ ନାଗରିକତା ବିବାଦ ଆବେଦନ ଖାରଜ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କ ନାମରେ ଆସିଥିବା ନାଗରିକତା ବିବାଦ ଆବେଦନକୁ ଖାରଜ କରିଦେଇଛନ୍ତି। ଆବେଦନରେ କୁହାଯାଇଥିଲା ଯେ ରାହୁଲ ଗାନ୍ଧୀ ବ୍ରିଟେନ ନାଗରିକତା ଗ୍ରହଣ କରିଥିବା ଅଭିଯୋଗ ରହିଛି। ଏନେଇ କୌଣସି ରାୟ ନଆସିବା ପର୍ଯ୍ୟନ୍ତ ତାଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦିଆଯାଉ।
ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଆବେଦନର ଯଥାର୍ଥତାକୁ ନେଇ ପ୍ରଶ୍ନ କରିଛନ୍ତି। ଆବେଦନକୁ ଖାରଜ କରି ପ୍ରଧାନ ବିଚାରପତି ରଂଜନ ଗୋଗୋଇ ପ୍ରଶ୍ନ କରିଥିଲେ ଯେ କୌଣସି କମ୍ପାନୀ କୌଣସି ଫର୍ମରେ ରାହୁଲ ଗାନ୍ଧୀଙ୍କୁ ବ୍ରିଟେନ ନାଗରିକ କହିଦେଲେ ସେ କ’ଣ ବ୍ରିଟେନ ନାଗରିକ ହୋଇଯିବେ। ଏହି ଆବେଦନର କୌଣସି ଯଥାର୍ଥତା ନାହିଁ।
ୟୁନାଇଟେଡ ହିନ୍ଦୁ ଫ୍ରଣ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷ ଜୟ ଭଗବାନ ଶର୍ମା ଏବଂ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସିପି କୌଶିକଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା।