ଅଯୋଧ୍ୟା ମାମଲା: ସମସ୍ତ ରିଭ୍ୟୁ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଶୁଣାଣି ପରେ ପୁନର୍ବାର ରିଭ୍ୟୁ ନେଇ କିଛି ଆବେଦନ କରାଯାଇଥିଲା । ଯାହାର ଶୁଣାଣିରେ ଆଜି ସୁପ୍ରିମକୋର୍ଟ ସମସ୍ତ ଆବେଦନକୁ ଖାରଜ କରିଛନ୍ତି।

ଆଜି ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌ ଏ ନାଜୀର୍‌ ଏବଂ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ମଧ୍ୟ ଥିଲେ। ତେବେ ଏହି ରାୟ ଆସିବା ସମୟରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଖଣ୍ଡପୀଠର ସଦସ୍ୟ ନଥିଲେ। ଏହି ସମୟରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପ୍ରଧାନବିଚାରପତି ଦାୟିତ୍ୱରେ ଥିଲେ, ଯେକି ଏହି ରାୟର ଅଳ୍ପ କିଛି ଦିନ ପରେ ଅବସର ନେଇଛନ୍ତି।

ତତ୍କାଳୀନ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଦେଇଥିବା ରାୟରେ ବିବାଦୀ ୨.୭୭ ଏକର ଜମି ରାମ ଲାଲାଙ୍କୁ ମିଳିଛି। ଅନ୍ୟପକ୍ଷରେ ସୁନ୍ନି ୱାକ୍‌ଫ ବୋର୍ଡ ଏକ ପ୍ରମୁଖ ସ୍ଥାନରେ ମସଜିଦ୍‌ ନିର୍ମାଣ କରିବା ପାଇଁ ୫ ଏକର ଜମି ଦେବାକୁ ସରକାରଙ୍କୁ କୁହାଯାଇଛି।

ଏହି ରାୟ ପରେ ମୋଟ ୧୮ଟି ରିଭ୍ୟୁ ଆବେଦନ ହୋଇଥିଲା। ତନ୍ମଧ୍ୟରୁ ୯ଟି ପୂର୍ବରୁ ମାମଲାର ପକ୍ଷ ଥିବା ପିଟିସନର୍‌ ଆବେଦନ କରିଥିଲେ। ଅନ୍ୟ ୯ଟି ତୃତୀୟପକ୍ଷ ବା ଥାର୍ଡ ପାର୍ଟିଙ୍କ ଆବେଦନ ଥିଲା।