ରାଜ୍ୟ ସରକାରଙ୍କୁ ଝଟକା : ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ମାମଲାରେ ହାଇକୋର୍ଟ ରାୟକୁ କାଏମ ରଖିଛନ୍ତି ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ଝଟକା । ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି ଲାଗି ଓଡ଼ିଶା ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏ ନେଇ ହାଇକୋର୍ଟଙ୍କ ରାୟଙ୍କୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ସଞ୍ଜୟ କିଷନ କୌଲ ଓ ଉଦୟ ଉମେଶ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ନାହାନ୍ତି।

ଓଡ଼ିଶାରେ ୨୦୧୨ ପଂଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଂଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ଟପିଥିଲା । ଏହା ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଙ୍ଘନ କରୁଛି ବୋଲି ଦର୍ଶାଯାଇ ହାଇକୋର୍ଟରେ ଅନେକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଥିଲେ । ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମ କୋର୍ଟ ଯାଇଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟ ରାୟକୁ କାଏମ ରଖିଛନ୍ତି। ଏଣିକି ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ।