ଉନ୍ନାଓ ଦୁଷ୍କର୍ମ ମାମଲା: ୪୫ ଦିନରେ ନିଷ୍ପତି ସହ ମାମଲା ଦିଲ୍ଲୀକୁ ବଦଳି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ଘଟଣା ଉପରେ ଆଜି ସୁପ୍ରିମକୋର୍ଟ ମାରାଥନ ଶୁଣାଣି କରି ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶର ଯୋଗୀ ସରକାର ମାମଲାର ଠିକ୍‌ ଭାବେ ତଦନ୍ତ କରି ଶୁଣାଣି କରୁ ନଥିବାରୁ ସୁପ୍ରିମକୋର୍ଟ ଏହି ଘଟଣା ସହ ଜଡ଼ିତ ସମସ୍ତ ୫ ମାମଲାକୁ ଦିଲ୍ଲୀର ଟ୍ରାଏଲ କୋର୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀର ଟ୍ରାଏଲ କୋର୍ଟ ଦୈନିକ ଶୁଣାଣି କରି ଆସନ୍ତା ୪୫ ଦିନ ମଧ୍ୟରେ ଉନ୍ନାଓ ଦୁଷ୍କର୍ମ ଘଟଣାରେ ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗତ ରବିବାର ଉନ୍ନାଓ ପୀଡ଼ିତାଙ୍କ କାର ଦୁର୍ଘଟଣାର ତଦନ୍ତ ୭ ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ ସିବିଆଇକୁ କହିଛନ୍ତି। ସିବିଆଇ ଏଥିପାଇଁ ୩୦ ଦିନର ସମୟ ମାଗିଥିଲେ ହେଁ ସୁପ୍ରିମକୋର୍ଟ ତାକୁ ଅଗ୍ରାହ୍ୟ କରି ଦେଇଛନ୍ତି।
ଏଥିସହ ସୁପ୍ରିମକୋର୍ଟ ଆସନ୍ତାକାଲି ସୁଦ୍ଧା ଯୋଗୀ ସରକାରଙ୍କୁ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ କହିଛନ୍ତି। ଏହାବାଦ୍‌ ପୀଡ଼ିତାଙ୍କ ମା’ ଓ ପରିବାର ଲୋକଙ୍କୁ କେନ୍ଦ୍ରୀୟ ସୁରକ୍ଷାକର୍ମୀ ଯୋଗାଇ ଦେବାକୁ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୭ ମସିହା ଉନ୍ନାଓଠାରେ ଜଣେ ନାବାଳିକାଙ୍କୁ ବିଜେପିରୁ ଆଜି ବହିଷ୍କୃତ ହୋଇଥିବା ବିଧାୟକ କୁଲଦୀପ ସେନଗାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ଦୀର୍ଘ ଗୋଟିଏ ବର୍ଷ ପରେ ଅର୍ଥାତ ଗତବର୍ଷ ଏପ୍ରିଲ ମାସରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଅଭିଯୁକ୍ତ ବିଧାୟକ କୁଲଦୀପଙ୍କୁ ଗିରଫ କରିଥିଲା। କୁଲଦୀପ ଜେଲରେ ଥିଲେ ହେଁ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ଧମକ ମିଳୁଥିଲା।  ରବିବାର ଦିନ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ହେବା ଏବଂ ସେ ଗୁରୁତର ଆହତ ହେବା ପରେ ବିବାଦ ବଢ଼ିବା ଆରମ୍ଭ ହୋଇଥିଲା।

ଆଜି ଠିକ୍‌ ୧୦.୩୦ରେ ସୁପ୍ରିମକୋର୍ଟ ମାମଲା ଶୁଣାଣି ଆରମ୍ଭ କରିଥିଲେ। ପ୍ରଥମେ ଉନ୍ନାଓ ଦୁଷ୍କର୍ମ ଓ ଦୁର୍ଘଟଣା ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ସିବିଆଇକୁ ଷ୍ଟାଟସ୍‌ ରିପୋର୍ଟ ମାଗିଥିଲେ। ଏହି ସମୟରେ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସିବିଆଇ ଟିମ୍‌ ଲକ୍ଷ୍ନୌରେ ଥିବାରୁ ରିପୋର୍ଟ ପାଇଁ ଗୋଟିଏ ଦିନ ସମୟ ଲୋଡ଼ିଥିଲେ। ହେଲେ ଜଷ୍ଟିସ୍‌ ଗୋଗୋଇ କେବଳ ଆଜି ଦିନ ୧୨ ଯାଏ ସମୟ ଦେଇଥିଲେ।