ନୂଆଦିଲ୍ଲୀ:ଗୃହବନ୍ଦୀ ହୋଇ ରହିଥିବା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତୀଙ୍କୁ ତାଙ୍କ ଝିଅ ଇଲ୍ତିଜା ଭେଟି ପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ସେ ଚେନ୍ନାଇ ମୁଫ୍ତୀଙ୍କୁ ଦେଖା କରିବାକୁ ଶ୍ରୀନଗର ଆସିବେ । ଏହା ସହିତ ଶ୍ରୀନଗରର ଅନ୍ୟ ସ୍ଥାନକୁ ଯାଇ ପାରିବେ । କିନ୍ତୁ ତାଙ୍କୁ ପ୍ରଶାସନର ଅନୁମତି ନେବାକୁ ପଡ଼ିବ ।
ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ମେହବୁବାଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ତେଣୁ ମା’ଙ୍କୁ ଭେଟିବାକୁ ଝିଅ ଇଲ୍ତିଜା ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ସେ ତାଙ୍କ ମା’ଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି । ସେଥିପାଇଁ ମା’ଙ୍କୁ ଦେଖା କରିବାକୁ ଅନୁମତି ମାଗିଛନ୍ତି । ଗୁରୁବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ୍ ଏ ବବ୍ଡେ ଏବଂ ଏସ୍ ଏ ନଜୀରଙ୍କ ଖଣ୍ଡପୀଠ ଆବେଦନର ଶୁଣାଣୀ କରିଛନ୍ତି । ଖଣ୍ଡପୀଠ ଇଲ୍ତିକାଙ୍କୁ ମୁଫ୍ତୀଙ୍କୁ ଭେଟିବାକୁ ଅନୁମତି ପ୍ରଦାନ କରିଛନ୍ତି । ଯେମିତି ଭାବରେ ସୀତାରାମ ୟେଚୁରୀ ତାଙ୍କ ବନ୍ଧୁ ବିଧାୟକ ମୋହମ୍ମଦ ୟୁସୁଫ ତାରିଗାମୀଙ୍କୁ ଭେଟିବାକୁ ଆବେଦନ କରିଥିଲେ ଠିକ୍ ସେହିପରି ଭାବେ ଇଲ୍ତୀକା ମଧ୍ୟ ଆବେଦନ କରିଛନ୍ତି । ଏ ନେଇ ତାଙ୍କ ଓକିଲ ଉତ୍କର୍ଷ କାମରା କହିଛନ୍ତି ।
ଅନ୍ୟପକ୍ଷରେ କୋର୍ଟ ଆଜି ତାରୀଗାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସୀତାରାମ ଦାଖଲ କରିଥିବା ବନ୍ଦ ଲଫାପା ଭିତର ରିପୋର୍ଟକୁ ଦେଖିବେ । କେବଳ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ସୁପ୍ରିମକୋର୍ଟ ୟେଚୁରୀଙ୍କୁ ଅନୁମତି ପ୍ରଦାନ କରିଥିଲେ ।