ଝାରସୁଗୁଡାରେ ସୁପର ସ୍ପ୍ରେଡର ମହିଳା

ଝାରସୁଗୁଡା: ଝାରସୁଗୁଡାରେ ଜଣେ ମହିଳା ପାଲଟିଲେ ସୁପର ସ୍ପ୍ରେଡର। ଗୁରୁଗ୍ରାମରୁ ଆସିଥିବା ଏହି ମହିଳାଙ୍କ ସଂସ୍ପର୍ଶରେ ଆସି ବ୍ରଜରାଜନଗରର ୧୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ମହିଳାଜଣଙ୍କ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ କୋଭିଡ୍ ନିୟମ ନମାନି ସାମାଜିକ ଉତ୍ସବର ଆୟୋଜନ କରିଥିଲେ । ମହିଳା ଜଣଙ୍କ ନିଜ ପୁଅଙ୍କ ଜନ୍ମ ଦିନ ଧୁମ୍‌ଧାମରେ ପାଳନ କରିଥିବା ବେଳେ ଏଥିରେ ପଡୋଶୀମାନଙ୍କୁ ନିମନ୍ତ୍ରଣ କରିଥିଲେ । ଜନ୍ମଦିନ ପାଳନ କରାଯାଇଥିବା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ସତ୍ତ୍ୱେ ଏହାକୁ ଖାତିର ନ କରି ସେ ଉତ୍ସବର ଆୟୋଜନ କରିଥିଲେ । ପରେ ସେ ଅନ୍ୟଜଣେ ବ୍ୟକ୍ତିଙ୍କ ବିବାହ ବାର୍ଷିକୀ ଅବସରରେ ମଧ୍ୟ ଯୋଗ ଦେଇଥିଲେ । ଯାହାଦ୍ୱାରା ସଂକ୍ରମଣ ବ୍ୟାପିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ସମ୍ପୃକ୍ତା ମହିଳା, ସ୍ୱାମୀ ଓ ପୁଅଙ୍କ ସହ କିଛି ଦିନ ତଳେ ଗୁରୁଗ୍ରାମରୁ ଫେରିଥିଲେ । ଏହାପରେ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି ।