ସୁନେତ୍ର ଯୋଜନାରେ ନବଜାତକଙ୍କ ଜଟିଳ ଚକ୍ଷୁରୋଗ ଚିକିତ୍ସା

ଭୁବନେଶ୍ୱର: ସମୟ ପୂର୍ବରୁ ଜନ୍ମ ହେଉଥିବା ଓ କମ୍‍ ଓଜନର ଶିଶୁଙ୍କ ଚକ୍ଷୁର ଅନ୍ତଃପଟ୍ଟଳରେ ରକ୍ତବାହୀ ଶିରା ପ୍ରଶିରା ଗୁଡିକ ଅନେକ ସମୟରେ ଅସ୍ୱାଭାବିକ ଭାବେ ବଢିଥାଏ । ଠିକଣା ସମୟରେ ଏହାର ଚିକିତ୍ସା ନହେଲେ ଶିଶୁମାନଙ୍କ ବୟସ ବୃଦ୍ଧି ସହିତ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଥାଏ । ହେଲେ ଏଭଳି ଜଟିଳ ରୋଗର ଚିକିତ୍ସା ଏବେ ସରକାରୀ ଚିକିତ୍ସାଳୟରେ ବିନା ମୂଲ୍ୟରେ ଉପଲବ୍ଧ । ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଓ ଅତି ସହଜରେ ହୋଇପାରୁଛି ।

ଜନ୍ମ ପରେ ଏସ୍‍ଏନ୍‍ସିୟୁରେ ରହୁଥିବା ପିଲାଙ୍କ ଚକ୍ଷୁର ଆରଓପି ସ୍କ୍ରିନିଂ କରାଯିବାପରେ ଏହି ରୋଗ ସଂକ୍ରାନ୍ତରେ ଚିକିତ୍ସକମାନେ ଜାଣିଥାନ୍ତି । ଏଥି ସହିତ ଆବଶ୍ୟକସ୍ଥଳେ ଅନ୍ୟ ଶିଶୁମାନଙ୍କର ମଧ୍ୟ ସ୍କ୍ରିନିଂ କରାଯାଇଥାଏ । ଏହି ପରୀକ୍ଷା ଲାଗି ପ୍ରାୟ ଦେଢ କୋଟି ଟଙ୍କା ମୂଲ୍ୟର ‘ରେଟ୍‍କ୍ୟାମ୍‍’ ଓ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ‘ଲେଜର ଯନ୍ତ୍ର’ ଆବଶ୍ୟକ ହୋଇଥାଏ । ରେଟ୍‍କ୍ୟାମ୍‍ରେ ଶିଶୁଙ୍କ ଚକ୍ଷୁର ପରୀକ୍ଷାପରେ ଆବଶ୍ୟକସ୍ଥଳେ ସେମାନଙ୍କର ଲେଜର ଚିକିତ୍ସା କିମ୍ବା ଇଞ୍ଜେକସନ ଦେବାକୁ ପଡିଥାଏ । ରାଜ୍ୟ ସରକାର ଇତି ମଧ୍ୟରେ ସୁନେତ୍ର ଯୋଜନାରେ କ୍ୟାପିଟାଲ ହସ୍ପିଟାଲର ଏସ୍‍ଏନ୍‍ସିୟୁ ସମେତ ଏସ୍‍ସିବି ମେଡିକାଲ କଲେଜ, ଭିମ୍‍ସାର, ଏମ୍‍କେସିଜି, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ
ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏସ୍‍ଏନ୍‍ସିୟୁକୁ ଏହି ମୂଲ୍ୟବାନ୍‍ ଯନ୍ତ୍ର ଯୋଗାଇ ଦେଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲର ଏସ୍‍ଏନ୍‍ସିୟୁରେ ଶିଶୁ ବିଶେଷଜ୍ଞଙ୍କ ସହିତ ଦିଲ୍ଲୀ ଏମ୍‍ସରୁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଅଶ୍ୱିନୀ ମେହେର୍ଦ୍ଦା ଏବଂ ତାଙ୍କ ଟିମ୍‍ ଏହି ଜଟିଳ ଚିକିତ୍ସା କରୁଛନ୍ତି । ଏଥିପାଇଁ ହସ୍ପିଟାଲର ଏସ୍‍ଏନ୍‍ସିୟୁ ନିକଟରେ ସ୍ୱତନ୍ତ୍ର ଭାବେ କୋଠରୀ ପ୍ରସ୍ତୁତ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଠାରେ ୧୮୬ ଶିଶୁଙ୍କ ଚକ୍ଷୁର ଆରଓପି ସ୍କ୍ରିନିଂ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଶିଶୁଙ୍କ ଚକ୍ଷୁରେ ଲେଜର ଚିକିତ୍ସା ଓ ଆଉ ୬ଜଣଙ୍କୁ ଆଣ୍ଟି ଭେଜ୍‍ ଇଞ୍ଜେକସନ୍‍ ଦିଆଯାଇଛି । ଏହି ଇଞ୍ଜେକସନର ବଜାର ମୂଲ୍ୟ ୨୦ହଜାର ଟଙ୍କାରୁ ଅଧିକ ହୋଇଥିବାବେଳେ ରାଜ୍ୟ ସରକାର ସୁନେତ୍ର ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଥିବା ଡାକ୍ତର ମେହେର୍ଦ୍ଦା କହିଛନ୍ତି । ଉଲ୍ଲେଖନୀୟ ଯେ ପୂର୍ବରୁ ସୁନେତ୍ର ଯୋଜନାରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟୟବହୁଳ ରେଟିନା ଅପରେସନ ଆରମ୍ଭ
ହୋଇଛି । ଘରୋଇ ଡାକ୍ତରଖାନା ଗୁଡିକରେ ଏଥିପାଇଁ ରୋଗୀଙ୍କୁ ୫୦ରୁ ୬୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ଏଠାରେ ଏହା ବିନାମୂଲ୍ୟରେ ହୋଇପାରୁଛି । ଏଥି ସହିତ ମଧୁମେହ ଆକ୍ରାନ୍ତ ରୋଗୀଙ୍କ ଚକ୍ଷୁରେ ଆବଶ୍ୟକ ପଡୁଥିବା ଦାମୀ ଇଞ୍ଜେକସନ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି ।