ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ: ଆଜି ପ୍ରଧାନମନ୍ତ୍ରୀ ମୋଦୀ-ଶାହା, ରାଜନାଥ ଓ ରାହୁଲ କରିବେ ରାଲି

ମୁମ୍ବାଇ/ଚଣ୍ଡିଗଡ଼: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ ମତଦାନ ହୋଇ ଫଳାଫଳ ପ୍ରକାଶ ପାଇବ । ସେଥିପାଇଁ ରାଜନୈତିକ ଦଳମାନେ ଏବେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ସବୁଠାରୁ ଅଧିକ ବ୍ୟସ୍ତ ଦେଖାଯାଉଛି । ଉଭୟ ରାଜ୍ୟରେ ବିଜେପିର ପ୍ରଭାବ ଥିବାରୁ ଆଗାମୀ ୫ ବର୍ଷରେ ମଧ୍ୟ କ୍ଷମତା ଜାରି ରଖିବା ପାଇଁ ପୁଣି ଥରେ ଉଦ୍ୟମ କରୁଛି । ଅପରପକ୍ଷେ କଂଗ୍ରେସ ମହାରାଷ୍ଟ୍ରରେ ଏନସିପି ସହିତ ମେଣ୍ଟ କରି କ୍ଷମତାକୁ ଫେରିବା ପାଇଁ ଆଶା ରଖିଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବଡ଼ ରାଲି କରୁଛନ୍ତି । ସେ ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର କରୁଛନ୍ତି । ସେହିଭଳି ଅମିତ ଶାହ. ରାଜନାଥ ସିଂହ ଓ ରାହୁଲ ଗାନ୍ଧୀ ମଧ୍ୟ ମତଦାତାଙ୍କୁ ରାଲିରେ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ମହାରାଷ୍ଟ୍ରରେ ୨ଟି ଜନସଭାକୁ ସମ୍ବୋଧିକ କରିବେ । ସେ ଅପରାହ୍ଣ ୧୨ଟାରେ ଉତ୍ତର ମହାରାଷ୍ଟ୍ରର ଜଳଗାଓରେ ରାଲି ଅଭିଯାନ ଆରମ୍ଭ କରିବେ । ଏହା ପରେ ସନ୍ଧ୍ୟା ୪ଟାରେ ବିଦର୍ଭର ଭଣ୍ଡାରା ଜିଲ୍ଲାରେ ଦ୍ୱିତୀୟ ଜନସଭା କରିବେ । ନିର୍ବାଚନ ପ୍ରଚାର ସମୟରେ ମୋଦୀ ରାଜ୍ୟରେ ମୋଟ ୯ଟି ରାଲି କରିବେ । 

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରରେ ଆଜି ୩ଟି ରାଲି ସହିତ ପାର୍ଟି ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବେ । ରାହୁଲ ରବିବାର ଅପରାହ୍ଣରେ ଅସୁଆରେ କଂଗ୍ରେସ ପ୍ରାର୍ଥୀ ଏମ ବସାବରଣିଙ୍କ ପାଇଁ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ଏହା ପରେ ସେ ମୁମ୍ବାଇର ଚାନ୍ଦବାଲିରେ ପାର୍ଟି ପ୍ରାର୍ଥୀ ନସୀମ ଖାନ ଓ ଧାରାବୀରେ ବର୍ଷା ଗାୟକୱାଡଙ୍କ ପାଇଁ ରାଲିରେ ନିଜର ବକ୍ତବ୍ୟ ରଖିବେ । ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ରବିବାର ୩ଟି ରାଲି ଓ ଏକ ରୋଡ ଶୋ’ କରୁଛନ୍ତି । ଅମିତ ଶାହା ପୂର୍ବାହ୍ଣ ୧୧ଟାରେ କୋହ୍ଲାପୁରରେ ସଭା କରିବେ । ଏହା ପରେ ସେ ଅପରାହ୍ଣ ୧ଟାରେ ସତାରା ଜିଲ୍ଲାର କରାଡରେ ସଭା କରିବେ । ଅମିତ ଶାହା ଅପରାହ୍ଣ ୩ଟାରେ ପୁନେ ଜିଲ୍ଲାର ଶିରୁରରେ ରୋଡ ଶୋ’ କରିବା ପରେ ସନ୍ଧ୍ୟା ୬ଟାରେ ଔରଙ୍ଗବାଦ ଜିଲ୍ଲାର ଲାସୁରରେ ସଭା କରିବେ ।

ସେହିଭଳି ହରିୟାଣାରେ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଲି କରିବେ । ସେ ହରିୟାଣାରେ ତିନ ରାଲିକୁ ସମ୍ବୋଧିତ କରିବେ । ତାଙ୍କର ପ୍ରଥମ ରାଲି କରନାଲରେ ଅସନ୍ୟ ବିଧାନସଭା ଆସନରେ ପୂର୍ବାହ୍ଣ ୧୦ଟା ୫୫ରୁ ୧୧ଟା ୪୫ ଯାଏଁ, ଦ୍ୱିତୀୟ ରାଲି ଅପରାହ୍ଣ ୧୨ଟାରେ ରାଇ ବିଧାନସଭା ଆସନ ଓ ତୃତୀୟରେ ପଟୌଦୀ ଗୁରୁଗ୍ରାମରେ ଅପରାହ୍ଣ ୨ଟାରେ ୨ଟା ୫୦ ଯାଏଁ ହେବ ।