ସିଲ୍ ହେଲା ରାଜଧାନୀ ସୁନ୍ଦରପଦା, ଯଦୁପୁର ଅଂଚଳ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ଜଣେ କରୋନା ରୋଗୀ ଚିହ୍ନଟ କରିବା ପରେ ତତ୍ପର ହୋଇ ଭୁବନେଶ୍ୱର ବିଏମସି । ସଂକ୍ରମଣ ରୋକିବା ପାଇଁ ସୁନ୍ଦରପଦା ଓ ୬୪ ୱାର୍ଡ଼ ନମ୍ୱର ଯଦୁପୁରର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ଏହି ଅଂଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି।

ଆଜି ସୁନ୍ଦରପଦା ଅଂଚଳରେ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ସୁନ୍ଦରପଦା ପୌର ଚିକିତ୍ସାଳୟଠାରୁ କାଳୁଆସନୀ ମନ୍ଦିର ଓ ପୌର ଚିକିତ୍ସାଳୟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ୍ କରିଛି। ସେହିପରି କାଳୁଆସନୀ ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଯାଏଁ ଓ ଟାଟା ପ୍ରୋଜେକ୍ଟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ କରାଯାଇଛି। ସଂପୃକ୍ତ ଅଂଚଳରୁ କେହି ନବାହାରକୁ ଅପିଲ୍‌ କରାଯାଇଛି। ସ୍ଥାନୀୟ ଲୋକଙ୍କ ଜରୁରୀ ଆବଶ୍ୟକତା ବିଏମସିର ଟିମ ପୂରଣ କରିବ। ଏଥିପାଇଁ ବିଏମସି ୪ ଜଣିଆ ଟିମ ଗଠନ କରିଛି।  ସଂପୃକ୍ତ ଅଂଚଳ ମଧ୍ୟରେ ଥିବା ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ। ଆସନ୍ତାକାଲି ଏହି ଅଂଚଳକୁ ସାନିଟାଇଜ୍‌ କରାଯିବ। ଏପରିକି ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବେ। ଆବଶ୍ୟକ ପଡ଼ିଲେ ରକ୍ତ ନମୂନା ସଂଗ୍ରହ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

୬୪ ନମ୍ବର ୱାର୍ଡ଼ ର ଯଦୁପୁର ଓ ବେଗୁନିଆକୁ ‘କରୋନା’ ସଂକ୍ରମଣ ଜୋନ ଭାବେ ଘୋଷଣା କରାଯାଇଛି। ଏହି ଅଂଚଳର ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁକୁ ସିଲ୍‌ କରାଯାଇଛି। ସେହିଭଳି ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଏବଂ ଅମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଂଚଳକୁ ସିଲ୍ କରାଯାଇଛି। ଯଦୁପୁର ଅଂଚଳରେ ‘କରୋନା’ ଆକ୍ରାନ୍ତ ଅଂଚଳରୁ ଲୋକମାନେ ଆସି ରହିଥିବା ସନ୍ଦେହ କରି ସିଲ୍‌ କରିଛି ବିଏମ୍‌ସି।  ଏହି ସବୁ ଅଂଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଘରୁ ନବାହାରିବା ପାଇଁ ଲୋକଙ୍କୁ ଅପିଲ୍‌ କରାଯାଇଛି।