ଧରାଦେଉନି ସୁନ୍ଦରୀ, ଆସିଲା ସୁନାବେଡ଼ା ଯନ୍ତା

ଅନୁଗୁଳ : ବାଘୁଣୀ ସୁନ୍ଦରୀ ଗୋଟିଏ ପରେ ଗୋଟିଏ ଜଙ୍ଗଲ ଘୂରି ବୁଲୁଥିବା ବେଳେ ଚିନ୍ତା ବଢ଼ାଇ ଦେଇଛି ବନ ବିଭାଗର । ୪ ଦିନରେ ୫ ଥର ଅପରେସନ କରାଯାଇ ଜଙ୍ଗଲରେ ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ସବୁ ଯୋଜନା ଫେଲ ମାରିଛି । ଏଥିପାଇଁ କୋରାପୁଟ ସୁନାବେଡ଼ାରୁ ଯନ୍ତା ଏବଂ ମଧ୍ୟପ୍ରଦେଶରୁ ଟିମ୍ ଡକାଯାଇଛି । ରାଜପଥରେ ଘଟିଥିବା ଲଙ୍କାକାଣ୍ଡ ଘଟଣାରେ ପୁଲିସ ପକ୍ଷରୁ ହୋଇଥିବା ଗିରଫଦାରୀ ଘଟଣାର ପ୍ରତିବାଦ କରାଯାଇଛି । ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଅପରେସନରେ ମଧ୍ୟ ସଫଳତା ବନ ବିଭାଗକୁ ମିଳିନାହିଁ । କୋରାପୁଟ ସୁନାବେଡାରୁ ଏକ ଅତ୍ୟାଧୁନିକ ଯନ୍ତା ମଗାଯାଇଛି ।

ଏଥିରେ ଛେଳି ରଖାଯାଇ ବାଘୁଣୀକୁ ଆକର୍ଷିତ କରିବାକୁ ଚେଷ୍ଟା କରାଯିବ । ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ଅଭୟାରଣ୍ୟରୁ ଆଉ ଦୁଇଟି ଟିମ୍ ଏଠାକୁ ଆସିବାର ଅଛି । ସନ୍ଦୀପ ଅଗ୍ରୱାଲ ଓ ଅଖିଳେଶ ମିଶ୍ର ଏହି ଟିମ୍ରେ ମୁଖ୍ୟ ବିଶେଷଜ୍ଞ ଅଛନ୍ତି । ଗତ ୪ ଦିନ ଧରି ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା ବିଫଳ ହୋଇଥିବା ବେଳେ ଆସୁଥିବା ନୂତନ ଟିମ୍ କିଛି ନୂତନ ରଣକୋ÷ଶଳ ଆପଣେଇବେ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ଦିନ ରକ୍ତମୁଖା ସୁନ୍ଦରୀ ସାତକୋଶିଆରେ ଶିମିଳି ଖୋଳ ଜଙ୍ଗଲରେ ଘୂରି ବୁଲୁଛି । ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ପୁଣି ଚାଲିଲା ନୂଆ ପ୍ରକ୍ରିୟା । ବାଘୁଣୀକୁ କାବୁ କରିବା ପାଇଁ ଜଙ୍ଗଲ ମଧ୍ୟରେ ବନ୍ଧା ଯାଇଛି ମଇଁଷି । ମଇଁଷିକୁ ବାଘୁଣୀ ମାରିବା ପାଇଁ ଆସିଲେ ମଞ୍ଚାରେ ଜଗି ବସିଥିବା ଟ୍ରାଙ୍କୁଲାଇଜ ଟିମ୍ କାବୁ କରିବେ ସୁନ୍ଦରୀକୁ । ବାଘୁଣୀକୁ କାବୁ କରିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ସାତକୋଶିଆ ୱାଇଲ୍ଡ ଲାଇଫ୍ ଡିଏଫଓ ରାମାସ୍ୱାମୀ ସୂଚନା ଦେଇଛନ୍ତି । ସୁନ୍ଦରୀ ଟାଇଁସି ଗ୍ରାମରେ ତ୍ରିନାଥ ସାହୁଙ୍କୁ ଆକ୍ରମଣ କରିବା ପରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ୫୫ରେ ଆନ୍ଦୋଳନ କରିଥିଲେ ଏବଂ ସେଠାରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଯେଉଁଥିରେ ପୁଲିସ କର୍ମଚାରୀ ଆହତ ହେବା ସହ ଗାଡି ମୋଟର ପୋଡାଜଳା ହୋଇଥିଲା ।

ଏହି ଘଟଣାରେ ପୁଲିସ ଜରପଡା ଥାନାରେ ମାମଲା ରୁଜୁ କରିବା ସହ ୨୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହାର ପ୍ରତିବାଦ କରାଯାଇଛି । ମହିଳା କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ଅଫିସ ଆଗରେ ଉଗି,ପରା,ଓ ମୁଣ୍ଡା ସାହିର ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ କହିବା କଥା ଟାଇଁସି ଅଞ୍ଚଳର ଲୋକ ଆନ୍ଦୋଳନ ଚଳାଇଥିବା ବେଳେ ପୁଲିସ ଅଯଥାରେ ଅନ୍ୟ ଗାଁର ଲୋକଙ୍କୁ ଗିରଫ କରିଛି । ଗୋଟିଏ ପଟେ ବାଘୁଣିର ଭୟ ଯୋଗୁଁ ଘରୁ ବାହାରି ପାରୁନଥିବା ବେଳେ ଅନ୍ୟ ପଟେ ପୁଲିସ ଭୟରେ ଘର ଛାଡିବାକୁ ପଡୁଛି । ପୁଲିସ ରାତି ଅଧିଆ ଚଢ଼ାଉ କରି ଅଯଥାରେ ହଇରାଣ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଘଟଣାର ସଠିକ୍ ତଦନ୍ତ କରିବା ସହ ଗିରଫ ଲୋକମାନଙ୍କୁ ନିର୍ଦ୍ଦୋଶରେ ଖଲାସ କରିବାକୁ ଦାବୀ କରିଛନ୍ତି ।