ବିକାଶ ପଥେ ସୁନ୍ଦରଗଡ : ଆଧୁନିକ କ୍ରୀଡା ଭିତିଭୂମିର ବିସ୍ତାର ସହ ଚାଲିଛି ପର୍ଯ୍ୟଟନ ଭିତିଭୂମିର ବିକାଶ

ପ୍ରଗତିର ଏହି ଧାରାକୁ ସହରବାସୀଙ୍କ ପ୍ରଶଂସା

ସୁନ୍ଦରଗଡ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ଖଣିଜ ସମ୍ପଦରେ ସମୃଦ୍ଧ, ଏହି ଜିଲ୍ଲାରେ ରହିଛି ଅନେକ ଖଣି ଖାଦାନ, କଳ କାରଖାନା, ଶିଳ୍ପ । ତଥାପି ଏହି ଜିଲ୍ଲାକୁ ଏକ ପଛୁଆ ଜିଲ୍ଲା ଭାବେ ପରିଗଣିତ କରା ଯାଇ ଆସୁଛି । ତେବେ ବର୍ତମାନ ଏହି ଜିଲ୍ଲା ବିକାଶ ପଥେ ଅଗ୍ରସର ହେବାରେ ଲାଗିଛି ଏବଂ ସ୍ମାର୍ଟ ସିଟି ଠାରୁ ଆରମ୍ଭ କରି ବିଶ୍ୱ ସ୍ତରୀୟ କ୍ରୀଡା ଭିତିଭୂମି ପାଇଁ ଏହି ଜିଲ୍ଲା ଏକ ସ୍ୱାଭାବିକ ପସନ୍ଦ ପାଲଟିଛି । ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଗଡ ସୁନ୍ଦରଗଡ ଜିଲ୍ଲା ଆଜି କିଭଳି ଉନ୍ନତି ମାର୍ଗରେ ଅଗ୍ରସର ।
ସୁନ୍ଦରଗଡ ଜିଲ୍ଲା ରାଜ୍ୟରେ ଦ୍ୱିତୀୟ ବୃହତମ ଜିଲ୍ଲା । ପାହାଡ, ଜଙ୍ଗଲ ଘେରା ଏହି ଜିଲ୍ଲାରେ ରହିଛି ଅନେକ ଦୁର୍ଗମ, ଅପହଂଚ ଅଂଚଳ । ଇବ, ବ୍ରାହ୍ମଣୀ, ସଫେଇ ଓ କୋଏଲ ପରି ନଦୀ ସହ ରହିଛି ଅନେକ ଯୋର, ଯାହାକି ଗମନାଗମନରେ ଅନେକ ବାଧା ସୃଷ୍ଟି କରିଥାଏ । ଏପରି ପରିସ୍ଥିତିରେ ଜିଲ୍ଲାର ଅନେକ ଗ୍ରାମାଂଚଳରୁ ବ୍ଲକ କିମ୍ବା ଜିଲ୍ଲା ମୁଖ୍ୟାଳୟ ପହଂଚିବାକୁ ହେଲେ ଅନେକ ଦୂରତା ଅତିକ୍ରମ କରିବାକୁ ପଡେ । ଏପରିକି ବର୍ଷା ଦିନେ ନଈରେ ପାଣି ଥିଲେ ବ୍ଲକ ମୁଖ୍ୟାଳୟ ଠାରୁ ବିଚ୍ଛିନ୍ନ ହୋଇ ଯାଏ ଅନେକ ଗ୍ରାମାଂଚଳ । ତେବେ ବର୍ତମାନ ବିଭିନ୍ନ ନଦୀରେ ପୋଲ ନିର୍ମାଣ ହେବାରୁ ଲୋକଙ୍କ ଏହି ଅସୁବିଧା ଅନେକାଂଶରେ ଦୂରୀଭୂତ ହୋଇଛି । ଇବ ନଦୀ ଉପରେ ଭୋଜପୁର-ରାଜପୁର, ଗଏଲୋ-କୁକୁରିଡିହି ପରି ପୋଲ ନିର୍ମାଣ ହେବାରୁ ଲୋକେ ବୁଲାଣୀ ରାସ୍ତାରେ ଅନେକ ବାଟ ଦେଇ ଯିବା ଅପେକ୍ଷା ବର୍ତମାନ ସହଜରେ ପହଂଚି ପାରୁଛନ୍ତି ଗନ୍ତବ୍ୟକୁ ।

sundargarh development news
ସୁନ୍ଦରଗଡ ଜିଲ୍ଲାରେ ବିଗତ ଦିନମାନଙ୍କରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ଶୁଣିବାକୁ ମିଳୁଛି ଅନେକ ପୁରୁଖା ଲୋକଙ୍କ ମୁହଁରୁ । ଦୁର୍ଗମ ଅଂଚଳକୁ ପକ୍କା ରାସ୍ତା ନିର୍ମାଣ, ସହର ମଧ୍ୟରେ ଥିବା ବିଭିନ୍ନ ରାସ୍ତାର ଉନ୍ନତୀକରଣ, ସୁନ୍ଦରଗଡ ସହର ସ୍ଥିତ ଭବାନୀ ଭବନ ପଡିଆରେ ଆଧୁନିକ କ୍ରୀଡା ଭିତିଭୂମିର ବିସ୍ତାର, ସହର ମଧ୍ୟରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବିଜୁଳୀ ବନ୍ଧର ସୌନ୍ଦର୍ଯ୍ୟୀକରଣ ସହ ଜନସାଧାରଣଙ୍କ ପାଇଁ ଜଗିଙ୍ଗ, ସାଇକ୍ଲିଙ୍ଗ, ନୌକାବିହାର ସହ ଅନ୍ୟାନ୍ୟ ପର୍ଯ୍ୟଟନ ଭିତିଭୂମିର ବିକାଶ କାର୍ଯ୍ୟ ୨୬ କୋଟି ବ୍ୟୟରେ ଆଗେଇ ଚାଲିଛି । ଏପରିକି ଅନ୍ୟାନ୍ୟ ରାଜ୍ୟରୁ ଲୋକେ ଆସି ଏହି ପ୍ରକଳ୍ପକୁ ଅନୁଧ୍ୟାନ କରି ଏହାକୁ ପ୍ରଶଂସା କରିଛନ୍ତି । ପ୍ରଗତିର ଏହି ଧାରାକୁ ପ୍ରଶଂସା କରୁଛନ୍ତି ସହରବାସୀ ।

sundargarh development news
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ ସୁନ୍ଦରଗଡ ଜିଲ୍ଲାରେ କରା ଯାଇ ପାରିଛି ଅନେକ ପ୍ରକଳ୍ପ । ତନ୍ମଧ୍ୟରେ ରାଉରକେଲାକୁ ସ୍ମାର୍ଟ ସିଟି ପାହ୍ୟା ଓ ହକି ପାଇଁ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅନ୍ୟତମ । ତା ବ୍ୟତୀତ ଶିକ୍ଷା, ଗମନାଗମନ, ପାନୀୟ ଜଳ ଯୋଗାଣ, ଉଦ୍ୟାନ ଓ କୃଷି, ପଶୁପାଳନ, ଶ୍ରମିକ ଓ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ସହ ବିଶେଷ ଭାବେ ସ୍ୱାସ୍ଥ୍ୟ ସେବାରେ ଜିଲ୍ଲାରେ ଦେଖା ଦେଇଛି ଉଲ୍ଲେଖନୀୟ ସଫଳତା । ମାତୃ ଓ ଶିଶୁ ମୃତ୍ୟୁ ଦର ହ୍ରାସ ସହ ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟଜନିତ ବ୍ୟୟକୁ ହ୍ରାସ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ ପ୍ରଶଂସନୀୟ । ଏହ ବ୍ୟତୀତ ବିଭିନ୍ନ ଦୁର୍ଗମ ଅଂଚଳକୁ ପୂର୍ତ ବିଭାଗ ମାଧ୍ୟମରେ ରାସ୍ତା ଓ ପୋଲ ନିର୍ମାଣ ସହ ଜନସେବା ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ, ମା’ ଗୃହ, ପାଠାଗାର ଇତ୍ୟାଦି ନିର୍ମାଣରେ ଦେଖା ଦେଇଛି ଅଭୂତପୂର୍ବ ପ୍ରଗତି । ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବେ ବେଳେ ଅନେକ ରହିଛି ନିର୍ମାଣାଧୀନ । ତା ସହ ଆଗକୁ ଅନେକ ପ୍ରକଳ୍ପ ଆରମ୍ଭ ହେବାକୁ ଥିବା ପ୍ରକାଶ କରିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

sundargarh development news
ଏକଦା ପଛୁଆ ଜିଲ୍ଲା ଭାବେ ସାରା ରାଜ୍ୟରେ ପରିଗଣିତ ସୁନ୍ଦରଗଡ ଜିଲ୍ଲା ବର୍ତମାନ ବିକାଶ ପଥରେ ଅଗ୍ରସର ଥିବା ସହ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଜାଗ୍ରତ କରିଛି ପ୍ରଗତିର ସ୍ୱପ୍ନ । ନିଜ ନାଁ ଅନୁରୂପ ସୁନ୍ଦର ସହର ଗଠନର ପ୍ରକ୍ରିୟା ଦେଇ ଗତି କରୁଥିବା ସୁନ୍ଦରଗଡ ଯେ ଜାତୀୟ ସ୍ତରୀୟ ବିକାଶର ଏକ ଉଦାହରଣ ସାଜିବ, ଏହା ରହିଛି ଜନସାଧାରଣଙ୍କ ପରିକଳ୍ପନା ।