ସୁନ୍ଦରଗଡ ବିଜେଡିରେ ଫାଟ : ରାଜଧାନୀରେ କୋଳାକୋଳି,ସୁନ୍ଦରଗଡରେ କୁସୁମ-ଯୋଗେଶ କଳି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବିଜେଡିରେ ଫାଟ। ସ୍ବତନ୍ତ୍ର ବିକାଶ ପରିଷଦ କାର୍ଯ୍ୟକ୍ରମରେ ନିକଟରେ ବିଜେଡିରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ଅନୁପସ୍ଥିତି ଏବଂ ଆୟୋଜିତ ର୍ୟାଲିରେ ତାଙ୍କ ନାଁ ନିଆନଯିବା ଦଳରେ ରହିଥିବା ଫାଟକୁ ପଦାରେ ପକାଇଛି। ତେବେ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବିଜେଡି ସଭାପତି ।

ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ମିଶିବା ପୂର୍ବରୁ ଦଳରେ ଯେଉଁଭଳି ଅସନ୍ତୋଷ ଦେଖିବାକୁ ମିଳିଥିଲା ତାହା ଯୋଗେଶ ଦଳରେ ମିଶିବା ପରେ ଉଗ୍ର ରୂପ ଧାରଣ କରିଛି । ଯୋଗେଶ ବିଜେଡିରେ ମିଶିବା ପରେ ସୁନ୍ଦରଗଡରେ ଦଳୀୟ କର୍ମୀ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ରୋଡ ସୋ’ରେ ନେଇଥିଲେ । କିନ୍ତୁ ସାଙ୍ଗରେ ନଥିଲେ ବିଜେଡି ନେତ୍ରୀ କୁସୁମ ଟେଟେ । ଯାହା ସ୍ପଷ୍ଟ ଦର୍ଶାଉଥିଲା ସୁନ୍ଦରଗଡ ବିଜେଡିରେ ସବୁକିଛି ଠିକ୍ ନାହିଁ ।

ବିଜେଡିରେ ଯୋଗେଶଙ୍କ ଯୋଗଦାନ ସହ ସୁନ୍ଦରଗଡରେ ଦଳକୁ ସଙ୍ଗଠିତ କରିବାକୁ ଉଭୟ କୁସୁମ ଓ ଯୋଗେଶ ପଣ କରିଥିଲେ । ଏପରିକି ପରସ୍ପରକୁ ପ୍ରଂଶସା କରିବା ସହ ସବୁ ସମସ୍ୟାର ସମାଧାନ ହୋଇଗଲା ବୋଲି ବାର୍ତ୍ତା ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ୧୯ ବର୍ଷ ଧରି ଏହି ଆସନରେ ବିଜୟର ସ୍ୱାଦ ଚାଖିନଥିବା ବିଜେଡି ପାଇଁ ୨୦୧୯ରେ ଏହି ଆସନରେ ପ୍ରଥମ ଥର ପାଇଁ ବିଜୟର ବାନା ଉଡାଇବା ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ଭୁବନେଶ୍ୱରରୁ ସୁନ୍ଦରଗଡ ଫେରିବା ପରେ ପୁଣିଥରେ ସବୁ କିଛି ପୂର୍ବ ଭଳି ଦେଖିବାକୁ ମିଳିଛି । ପୁଣିଥରେ ଦେଖିବାକୁ ମିଳିଛି ସୁନ୍ଦରଗଡ ବିଜେଡିରେ ଗୋଷ୍ଠୀ କନ୍ଦଳ । ଲାଗୁଛି ଯେମିତି ଯୋଗେଶଙ୍କ ଯୋଗଦାନକୁ ଏଯାଏଁ ଗ୍ରହଣ କରିପାରି ନାହାନ୍ତି କୁସୁମ ଓ ତାଙ୍କର ସମର୍ଥକ । ଯାହାର ଝଲକ ଯୋଗେଶଙ୍କ ସମ୍ବର୍ଦ୍ଧନା ପର୍ବେରେ ଦେଖିବାକୁ ମିଳିଛି ।

ଭୁବନେଶ୍ବରରେ କୋଳାକୋଳି, ସୁନ୍ଦରଗଡ଼ରେ କଳି । କଂଗ୍ରେସର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ଏବେ ବିବାଦ । ସୁନ୍ଦରଗଡ଼ରେ ଚାଲିଛି ବିରାଟ ଶୋଭାଯାତ୍ରା, ହେଲେ ଏଠାରେ ଦେଖିବାକୁ ମିଳିନି ହାତ ଛାଡ଼ି ବିଜେଡିରେ ମିଶିଥିବା ଯୋଗେଶ ସିଂଙ୍କୁ ।  ସ୍ବତନ୍ତ୍ର ବିକାଶ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ଯୋଗେଶ । ଏହା ହିଁ ବିଜେଡିର ବିବାଦକୁ ପଦାରେ ପକାଇଛି । କେବଳ ଆଜିର ଘଟଣା ନୁହେଁ ପୂର୍ବରୁ ଯୋଗେଶ ବିଜେଡିରେ ମିଶିବା ପରେ ଜିଲ୍ଲାରେ ଆୟୋଜିତ ସ୍ବାଗତ କାର୍ଯ୍ୟକ୍ରମରେ କୁସୁମ ଟେଟେ ଯୋଗ ଦେଇନଥିଲେ । ସେମିତି  ଏହି କାର୍ଯ୍ୟକ୍ରମରେ ବିଜେଡିର ସମସ୍ତ ଛାମୁଆ ନେତା ଉପସ୍ଥିତ ଥିବା ବେଳେ ଯୋଗେଶ ଅନୁପସ୍ଥିତ ଥିଲେ ।

ସେପଟେ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମଙ୍ଗଳା କିଶାନ କହିଛନ୍ତି ଯେ, ଦଳ ଭିତରେ କୌଣସି ଫାଟ ନାହିଁ । ଯୋଗେଶ ସିଂଙ୍କୁ ଖବର ଦିଆଯାଇଥିଲା, କିନ୍ତୁ ସେ ଅନ୍ୟକିଛି କାମରେ ବ୍ୟସ୍ତ ଥିବାରୁ ଆସିପାରିନାହାନ୍ତି ।

୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇଥିବା କୁସୁମ ଟେଟେଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା କରାଯିବା ସହ ଯୋଗେଶଙ୍କୁ ବିଜେଡିରେ ସାମିଲ କରାଯାଇଥିଲା । ଆସନ୍ତା ନିର୍ବ।ଚନରେ ଯୋଗେଶ ବିଜେଡି ଟିକଟ ପାଇବା ଏକରକମ ନିଶ୍ଚିତ ହୋଇଥିବା ବେଳେ ଦଳ ଉପରେ ଖପ୍ପା ହୋଇଥିଲେ କୁସୁମ।