କରୋନା ଆକ୍ରାନ୍ତଙ୍କ ତାଲିକାରେ ଆସିଲା ସୁନ୍ଦରଗଡ ଜିଲ୍ଲା; ୨ଜଣ ଚିହ୍ନଟ

ସୁନ୍ଦରଗଡ: ଗତକାଲି ୪ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି । କରୋନାଭାଇରସ୍ ଆକ୍ରାନ୍ତ ଚିହ୍ନଟ‌ ହେବାରେ ଏହା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଘଟଣା। ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଂଚଳର ବୋଲି ସୂଚନା ମିଳିଛି । ଏହି ଦୁଇ କରୋନା ଆକ୍ରାନ୍ତ ଏବେ ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଦୁହେଁ ଯାଜପୁରର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ।

ପ୍ରଶାସନିକ ସୂଚନା ଅନୁସାରେ, ଏହି ମାମଲାରେ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି l ବିଶ୍ରା ଅଂଚଳ ସିଲ୍ ପାଇଁ ଘଟଣାସ୍ଥଳରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ରାଉରକେଲା ଏସପି କେ.ଶିବା ସୁବ୍ରମଣି, ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଅନ୍ୟ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପୋଲିସ ପହଂଚିଛନ୍ତିl କେଉଁ କେଉଁ ଅଂଚଳ ସିଲ ହେବ ତାହାର ରୂପରେଖ ପ୍ରସ୍ତୁତ କରାଯାଉଛି l

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ଆଉ ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ସଂଖ୍ୟା ୫୪ରେ ପହଂଚିଛି।