ହାତ ଧରିଲେ ସୁନ୍ଦରଗଡ଼ର ବିଧାୟକ ଜର୍ଜ ତିର୍କୀ

ଭୁବନେଶ୍ୱର : ଶେଷରେ କଂଗ୍ରେସର ହାତ ଧରିଛନ୍ତି ସୁନ୍ଦରଗଡ଼ର ଲୋକପ୍ରିୟ ଆଦିବାସୀ ନେତା ତଥା ବିଧାୟକ ଜର୍ଜ ତିର୍କୀ । ବିଧାୟକ ତିର୍କୀ ଆଜି ଦିଲ୍ଲୀରେ ଏଆଇସିସି ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଜର୍ଜଙ୍କ ବ୍ୟତୀତ କଂଗ୍ରେସରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଉଦ୍ୟୋକ୍ତା ତଥା ସମାଜସେବୀ ସୁଦର୍ଶନ ଦାସ ମଧ୍ୟ ଦଳରେ ଯୋଗଦେଇଛନ୍ତି । ସୁଦର୍ଶନଙ୍କ ସହ ସାମାଜିକ କର୍ମୀ ମନୋଜ ଜେନା, ନିରଦ ଖୁଣ୍ଟି ଆ, ବିଜୟ ପ୍ରଧାନ ଓ ଇଞ୍ଜିନିୟର ଲଲିତ ପଟ୍ଟନାୟକ ପ୍ରମୁଖ ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସର ସଭ୍ୟପଦ ଗ୍ରହଣ କରିଛନ୍ତି ।

ପୂର୍ବରୁ ସାମାଜିକ କର୍ମୀ ସୁଦର୍ଶନ ଦାସ ବିଧାୟକ ହେବା ନିମନ୍ତେ ୨୦୧୪ ମସିହାରେ ଜଳେଶ୍ୱର ନିର୍ବାଚନୀମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଦ୍ୱାରା ସେ ବିଜେଡିର ନିକଟବର୍ତ୍ତୀ ହୋଇଥିଲେ । ତେବେ ସୁଦର୍ଶନ କଂଗ୍ରେସରେ ଯୋଗ ଦେବା ପରେ ସେ କଂଗ୍ରେସ ଟିକେଟରୁ ଜଳେଶ୍ୱର ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋରଧରିଛି । ଅନ୍ୟପକ୍ଷରେ ଆଦିବାସୀଙ୍କ ଅଧିକାର ପାଇଁ ଳଢ଼ୁଥିବା ବିଧାୟକ ଜର୍ଜ ତିର୍କୀ କଂଗ୍ରେସରୁ ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ସେ ସୁନ୍ଦରଗଡ଼ ନିର୍ବାଚନୀ ମଣ୍ଡଳୀରୁ ଦଳ ତରଫରୁ ପ୍ରାର୍ଥୀ ହୋଇପାରନ୍ତି । ପୂର୍ବରୁ ୨୦୦୨ ମସିହାରେ ଜର୍ଜ ବିଜେଡିରେ ଯୋଗ ଦେଇଥିଲେ । ପରେ ୨୦୦୪ ମସିହାରେ ତାଙ୍କୁ ଟିକେଟ୍ ନ ମଳିବାରୁ ସେ ବିଜେଡି ଛାଡ଼ି ସ୍ୱାଧୀନ ଭାବେ ଉଭୟ ସୁନ୍ଦରଗଡ଼ ଲୋକସଭା ଓ ବିରମିତ୍ରପୁର ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ । କିନ୍ତୁ ପରାସ୍ତ ହୋଇଥିଲେ । ପରେ ୨୦୦୪ ଓ ୨୦୦୯ ନିର୍ବାଚନରେ ଜର୍ଜ ତିର୍କୀ ସ୍ୱାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ । ୨୦୧୭ରେ ସେ ସମତାକ୍ରାନ୍ତି ଦଳ ଛାଡ଼ି ଜେଏମ୍ଏମ୍ରେ ଯୋଗ ଦେଇଥିଲେ ।