ସିଡିଏମ୍‌ଓଙ୍କ ନିଲମ୍ବନ ନିଷ୍ପତ୍ତି ପ୍ରତିବାଦ, ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼:କାର୍ଯ୍ୟରେ ଅବହେଳା ଯୋଗୁଁ ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍‌ଓଙ୍କୁ ରାଜ୍ୟ ସରକାରଙ୍କ ନିଲମ୍ବନ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି ଭାରତୀୟ ଜନତା ପାର୍ଟୀ । ଆଜି ଦଳ ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ପାଳନ କରାଯାଉଛି ।

ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛନ୍ତି । ପିକେଟିଂ କରି ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖିଛନ୍ତି । ମାତ୍ର ଏହି ଆନ୍ଦୋଳନରୁ ଜରୁରୀକାଳୀନ ସେବା, ଶିକ୍ଷାନୁଷ୍ଠାନ ଓ ଯାନବାହାନ ଚଳାଚଳକୁ ବାଦ୍‌ ଦିଆଯାଇଛି । ଗତକାଲି ମଧ୍ୟ କର୍ମୀମାନେ ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଉଲ୍ଲେଖଯୋଗ୍ୟ,  ‘ମୋ ସରକାର’ କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମଓ ପଙ୍କଜ ପଟେଲଙ୍କୁ ସରକାର ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସାରା ରାଜ୍ୟରେ ୫ଟି ସଚିବ ଭି.କେ ପାଣ୍ଡିଆନ ସିଡିଏମଓଙ୍କୁ ନିଲମ୍ବନ କରିଛନ୍ତି । ଏହା ସହିତ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି । ସରକାରୀ ନିର୍ଦ୍ଦେଶ ସତ୍ୱେ “ମୋ ସରକାର” କାମରେ ଅବହେଳା ଅଭିଯୋଗରେ ରିପୋର୍ଟ ତଲବ ।