ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ: ପବିତ୍ର ଶ୍ରୀକ୍ଷେତ୍ର ଧାମରେ ଆଜି ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ଆଶାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ସେବାୟତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କୁ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କୁ ଦର୍ପଦଳନରେ ସୁନାବେଶରେ ସୁସଜ୍ଜିତ କରୁଛନ୍ତି। ଅପରାହ୍ନ ୪ଟାରୁ ଏହି ସୁନାବେଶ ଆରମ୍ଭ ହୋଇଥିବା ବେଳେ ଆଉ କିଛି ଘଣ୍ଟା ପରେ ଏହା ସଂପୂର୍ଣ୍ଣ ହେବ। ଏହା ପରେ ଶ୍ରୀଜିଉମାନେ ଆଜି ଭକ୍ତଙ୍କୁ ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ।

ଶ୍ରୀଜିଉମାନଙ୍କୁ ପ୍ରାୟ ୨୦୦ କିଲୋ ସୁନା ଅଳଙ୍କାରରେ ଅଳଙ୍କୃତ କରାଯାଉଛି। ରଥ ଉପରେ ବର୍ଷକରେ ଥରଟିଏ ସୁନା ବେଶ କରାଯାଉ ଥିବାରୁ ଏହାର ଗୁରୁତ୍ୱ ରହୁଛି। ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ କୋଟି କୋଟି ଭକ୍ତ ଅପେକ୍ଷା କରିଥାନ୍ତି। କାରଣ ରଥ ଉପରେ ଶ୍ରୀଜିଉଙ୍କର ଏହି ମନଲୋଭା ବେଶ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଚଳିତ ବର୍ଷ ମହାମାରୀ କରୋନା ଭାଇରସ ଯୋଗୁଁ ଲାଗୁ ହୋଇଥିବା କଟକଣା ଲାଗି ଭକ୍ତମାନେ ରଥ ସମ୍ମୁଖକୁ ଯାଇପାରି ନାହାନ୍ତି। ଆଜି ଭକ୍ତମାନେ ସୁନାବେଶକୁ ଘରେ ଥାଇ ଟିଭିରେ ଦେଖିବାକୁ ହେବ। ଏଥି ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଅନୁରୋଧ କରିଛି।