ରାଜ୍ୟରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହୋଇଯାଇଥିବାବେଳେ ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଛୁଇଁଥିବା ବେଳେ ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ଦେଢ଼ରୁ ୩ ଡିଗ୍ରି ବୃଦ୍ଧି ପାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ।

ରାଜ୍ୟରେ ତାତି ଆହୁରି ବଢ଼ିବ। କିଛି ସ୍ଥାନରେ ପାରଦ ୪୨ ମଧ୍ୟ ଅତିକ୍ରମ କରିବ। ତେବେ ୧୫ ଓ ୧୬ ତାରିଖରେ ଉପକୂଳ ଓଡ଼ିଶାର ଅଳ୍ପ କେତେକ ଜାଗାରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ସମ୍ଭାବନା ଥିବାରୁ ସ୍ଥିତି ବଦଳିପାରେ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ଆସନ୍ତା ଦୁଇ ଦିନରେ ରାଜ୍ୟର ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଆଜି ଏବଂ କାଲି ରାଜଧାନୀ ଭୁବନେଶ୍ୱର ସମେତ ଏହାର ପାଖାପାଖି ଅଂଚଳର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହିପରି ରାତିର ତାପମାତ୍ରା ୨୫ ଡିଗ୍ରି ଭିତରେ ରହିବ । ଆଜି ଏବଂ କାଲି ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ରାଜ୍ୟର ସର୍ବାଧିକ ତାପମାତ୍ରା ରହିବ।