ମେ’ ୬ରୁ ଗ୍ରୀଷ୍ମ ଛୁଟି; ଆସନ୍ତା ବର୍ଷ ୮୨ଦିନ ଛୁଟି ରହିବ ସ୍କୁଲ

ଭୁବନେଶ୍ୱର: ଆସନ୍ତା ବର୍ଷ ମେ’ ୬ରୁ ପିଲାମାନଙ୍କର ଗ୍ରୀଷ୍ମ ଛୁଟି ଆରମ୍ଭ ହେବ । ଏହାସହ ଆଗାମୀ ବର୍ଷ ମୋ ସରକାରୀ ସ୍କୁଲରେ ୮୨ଦିନ ଛୁଟି ରହିବ ବୋଲି ଜଣାପଡିଛି । ୨୦୨୦ ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଓ କଲେଜ ଛୁଟି ହେବାର ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଜଣାପଡିଛି ଯେ, ମେ’ ୬ରୁ ଜୁନ୍ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ପାଇଁ ସରକାରୀ ସ୍କୁଲ ଛୁଟି ରହିବ ।

ମୋଟ ଉପରେ ଏ ବର୍ଷ ୮୨ ଦିନ ସ୍କୁଲ ଛୁଟି ରହିବାକୁ ଥିବାବେଳେ, ସେଥିମଧ୍ୟରୁ ୮ ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ । ଯେପରିକି ସରସ୍ୱତୀ ପୂଜା, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗୁରୁ ଦିବସ, ଗଣେଶ ପୂଜା, ଗାନ୍ଧୀ ଜୟନ୍ତୀ, ଶିଶୁ ଦିବସ ସମସ୍ତ ବିଦ୍ୟାଳୟରେ ପାଳିତ ହେବ । ଏହି ଦିନଗୁଡ଼ିକ ସ୍କୁଲ ଖୋଲାରହିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟକୁ ଆସିବେ ବୋଲି ଜଣାପଡ଼ିଛି । ଗ୍ରୀଷ୍ମ ଛୁଟି ବ୍ୟତୀତ ଚଳିତବର୍ଷ ୯ ଦିନ ପୂଜା ଛୁଟି ରହିବ । ଅକ୍ଟୋବର ୨୨ରୁ ୩୧ ତାରିଖ ଯାଏ ପୂଜା ଛୁଟି, ଡିସେମ୍ବର ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବଡ଼ଦିନ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ଛୁଟି ଦିନଗୁଡ଼ିକ ଗୋଟିଏ ଦିନ ଲେଖାଏଁ ରହିଛି । ଦୁଇଟି ସ୍ଥାନୀୟ ଛୁଟି(‌ଲୋକାଲ ହଲିଡେ) ରହିଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତୃପକ୍ଷମାନେ ଜାନୁଆରି ୨୦ ସୁଦ୍ଧା ସ୍ଥାନୀୟ ଛୁଟି ତାଲିକା ନିକଟସ୍ଥ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନିକଟରେ ଦାଖଲ କରିବେ । ସାଧାରଣତନ୍ତ୍ର ଦିବସ, ନୂଆଖାଇ, ମହରମ୍‌ ପାଳନ ରବିବାର ପଡ଼ୁଥିବାରୁ ଉକ୍ତ ଦିନଗୁଡ଼ିକୁ ଛୁଟି ତାଲିକାରୁ ବାଦ ଦିଆଯାଇଥିବା ଜଣାପଡ଼ିଛି  ।

ଅନ୍ୟପକ୍ଷରେ ୨୦୨୦ରେ ରାଜ୍ୟରେ ଥିବା ସରକାରୀ, ବେସରକାରୀ, ସେଲ୍ଫ ଫାଇନାନ୍ସ, ସ୍ୱୟଂଶାସିତ ଯୁକ୍ତ୩ କଲେଜଗୁଡ଼ିକ ପାଇଁ ୭୨ଟି ଛୁଟି ଦିନ ରଖାଯାଇଥିବା ଜଣାପଡ଼ିଛି । ମେ ୧୧ରୁ ଜୁନ୍‌ ୬ ପର୍ଯ୍ୟନ୍ତ ୩୨ ଦିନ ଧରି ଗ୍ରୀଷ୍ମ ଛୁଟି ହେବ । ଏହାବ୍ୟତୀତ ଅକ୍ଟୋବର ୨୨ରୁ ୩୧ ପର୍ଯ୍ୟନ୍ତ ପୂଜା ଛୁଟି ହେବ । ଅନ୍ୟ ଛୁଟିଗୁଡ଼ିକ ଗୋଟିଏ ଦିନ ଲେଖାଏ ରହିଛି । କଲେଜ କର୍ତୃପକ୍ଷ ଦୁଇଦିନ ସ୍ଥାନୀୟ ଛୁଟି ଘୋଷଣା କରିପାରିବେ । ତେବେ ଏ ନେଇ କଲେଜ କର୍ତୃପକ୍ଷମାନେ ୭ ଦିନ ଭିତରେ ସ୍ଥାନୀୟ ଛୁଟି ନେଇ ଆଂଚଳିକ ଶିକ୍ଷା ନିର୍ଦେଶକଙ୍କୁ ଜଣାଇବେ । ଡିସେମ୍ବର ଶେଷ ସପ୍ତାହରେ ବା ବଡ ଦିନ ପାଇଁ କୌଣସି ବି କଲେଜ ଛୁଟି ରହିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।