ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଏକ ନମ୍ବର : ଟାଇମ୍‌ସ ସର୍ଭେ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଟାଇମ୍‌ସ ହେଲ୍‌ଥ ସର୍ଭେରେ ସ୍ଥାନୀୟ ଭାବେ ଏକ ନମ୍ବର ସ୍ଥାନ ହାସଲ କରିଛି । ଏହି ସର୍ଭେ ଅନୁଯାୟୀ ପ୍ରାଇଭେଟ୍‌/କର୍ପୋରେଟ ହସ୍ପିଟାଲ୍ ଗୁଡ଼ିକର ମଲ୍ଟିସ୍ପେଶିଆଲିଟି ଶ୍ରେଣୀରେ ଏହି ସ୍ଥାନ ହାସଲ କରିଛି ସମ୍ ହସ୍ପିଟାଲ୍ । ସେହିପରି ହସ୍ପିଟାଲ୍‌ର ତିନୋଟି ବିଭାଗ ଦେଶର ଶ୍ରେଷ୍ଠ ୨୦ ଟି ହସ୍ପିଟାଲ୍ ମଧ୍ୟରେ ସ୍ଥାନ ପାଇଥିବା ବୁଧବାର ପ୍ରକାଶିତ ଆନୁଆଲ୍ ଟାଇମ୍‌ସ୍ ହେଲ୍‌ଥ ସର୍ଭେରେ ସ୍ଥାନୀତ ହୋଇଛି ।

ସ୍ଥାନୀୟ ସ୍ତରରେ ହୋଇଥିବା ସର୍ଭେ ଅନୁଯାୟୀ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ଆଣ୍ଡ ହେପାଟୋଲୋଜି, ୟୁରୋଲୋଜି, ନ୍ୟୁରୋ ସାଇନ୍‌ସେସ୍‌, ଅବ୍‌ଷ୍ଟେଟ୍ରିକ୍ସ ଆଣ୍ଡ ଗାଇନାକୋଲୋଜି ଏବଂ ଏମରଜେନ୍ସି ଆଣ୍ଡ ଟ୍ରମାକେୟାର ବିଭାଗ ଏହି ର‌୍ୟାଙ୍କିଂରେ ୧ ନମ୍ବର ସ୍ଥାନ ହାସଲ କରିଛି । ଗତବର୍ଷ ମଧ୍ୟ ଏହି ବିଭାଗଗୁଡ଼ିକୁ ସମାନ୍‌ ର‌୍ୟାଙ୍କିଙ୍ଗ୍ ମିଳିଥିଲା । ସ୍ଥାନୀୟ ଭାବେ ପେଡିଆଟ୍ରିକ୍ସ, ଅଙ୍କୋଲୋଜି ଏବଂ କାର୍ଡିଓ ସାଇନ୍‌ସେସ୍ ବିଭାଗ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ନେଫ୍ରୋଲୋଜି ବିଭାଗ ତୃତୀୟ ସ୍ଥାନରେ ରହିଛି । ଜାତୀୟ, ଆଂଚଳିକ ଏବଂ ସ୍ଥାନୀୟ ସ୍ତରରେ ଏହି ସର୍ଭେ କରାଯାଇଥାଏ ।

ସେହିପରି ଜାତୀୟ ସ୍ତରରେ ର‌୍ୟାଙ୍କିଙ୍ଗରେ ହସ୍ପିଟାଲ୍‌ର ପେଡିଆଟ୍ରିକ୍ସ, ୟୁରୋଲୋଜି ଏବଂ ନ୍ୟୁରୋ ସାଇନ୍‌ସେସ୍‌ ବିଭାଗ ଯଥାକ୍ରମେ ୧୩, ୧୭ ଏବଂ ୨୦ ତମ ସ୍ଥାନ ହାସଲ କରିଛି । ଏହି ସର୍ଭେ ଅନୁଯାୟୀ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୟୁରୋଲୋଜି ବିଭାଗ ପୂର୍ବାଂଚଳରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଆଂଚଳିକ ସ୍ତରରେ ହସ୍ପିଟାଲ୍‌ର ପେଡିଆଟ୍ରିକ୍ସ, ନ୍ୟୁରୋ ସାଇନ୍‌ସେସ୍ ଏବଂ ଏମରଜେନ୍ସି ଆଣ୍ଡ ଟ୍ରମାକେୟାର ବିଭାଗ ତୃତୀୟ ସ୍ଥାନରେ ରହିଛି । ସେହିପରି ପୂର୍ବାଂଚଳରେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ଏବଂ ଅଙ୍କୋଲୋଜି ବିଭାଗ ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ କାର୍ଡିଓ ସାଇନ୍‌ସେସ୍ ପଂଚମ ଓ ଅବ୍‌ଷ୍ଟ୍ରେଟିକ୍ସ ଆଣ୍ଡ ଗାଇନାକୋଲୋଜି ବିଭାଗ ଷଷ୍ଠ ସ୍ଥାନ ହାସଲ କରିଛି ।