୬ ମାସ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

ଆଇଏଏସ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଗଲେ । ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଯାଇଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟିରେ ରହିଥିବା ସେ ତାଙ୍କ ଛୁଟି ଆବେଦନ ଚିଠିରେ ଉଲ୍ଲେଖ କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ୬ ମାସ ପାଇଁ ଛୁଟି ଦିଆଯାଇଛି।

ନିକଟରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇଥିଲେ ନିର୍ବାଚନ କମିଶନ। ଏହାପରେ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସୁଜାତାଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେଡି ସରକାରର ପତନ ହୋଇଛି। ୧୦ ତାରିଖରେ ନୂଆ ସରକାର ଶପଥ ନେବାକୁ ଯାଉଛି। ଏହାପୂର୍ବରୁ କିଛି ପ୍ରଶାସନିକ ଅଧିକାରୀ ଏବେ ଛାନିଆ ହୋଇପଡ଼ିଥିବା ଜଣାପଡ଼ିଛି। କାରଣ ଏହି ପ୍ରଶାସନିକ ଅଧିକାରୀ ବିଜେଡି ସରକାର ସହ ଘନିଷ୍ଠତା ଥିଲା ବୋଲି କୁହାଯାଉଛି।