ପରିଜା ଲାଇବ୍ରେରି ଛାତ ଉପରୁ ଡେଇଁ ଆତ୍ମହତ୍ୟା ଧମକ ଦେଉଥିବା ଯୁବକ ଉଦ୍ଧାର

ଭୁବନେଶ୍ୱର: ଦୀର୍ଘ ୪ ଘଣ୍ଟାରୁ ଊର୍ଧ୍ବ ସମୟ ଧରି ଉତ୍କଳ ବିଶ୍ବବିଦ୍ୟାଳୟର ପରିସରରେ ହାଇଭୋଲ୍‌ଟେଜ୍‌ ଡ୍ରାମା ଚଳାଇଥିବା ଯୁବକ ଶେଷରେ ଧରାପଡ଼ିଛି । ବିଶ୍ବବିଦ୍ୟାଳୟର ପରିଜା ଲାଇବ୍ରେରିର ସର୍ବୋଚ୍ଚ ମହଲାର ଛାତ ଉପରକୁ ଚଢ଼ି  ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ଯୁବକଙ୍କୁ କାବୁ କରି ତଳକୁ ଆଣିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ।

ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀ ତାଙ୍କୁ ବୁଝାଇଶୁଝାଇ ତଳକୁ ଆସିବା ଲାଗି ପ୍ରୟାସ କରି ଅସଫଳ ହେବା ପରେ ଶେଷରେ ବଳ ପ୍ରୟୋଗ କରି ତଳକୁ ଓହ୍ଲାଇ ଅଣିଛନ୍ତି।

ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସାହସିକତା ସାମ୍ନାକୁ ଆସିଛି। ଜଣେ କର୍ମଚାରୀ ତାଙ୍କୁ କଥାବାର୍ତ୍ତା ଜରିଆରେ ବ୍ୟସ୍ତ ରଖିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ପଛପଟୁ ହାଇଡ୍ରୋଲିକ ସିଡ଼ିରେ ଯାଇ  ମାଡ଼ି ବସିଥିଲେ। ଏହାପରେ ଅନ୍ୟ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ବଳପୂର୍ବକ ସିଡିରେ ଲାଗିଥିବା ଲିଫ୍ଟ ମଧ୍ୟକୁ ଅଣାଯାଇଥିଲା। ଏହାପରେ ଯୁବକଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ ଅଗ୍ନିଶମ କର୍ମଚାରୀ। ଶେଷରେ ତାଙ୍କୁ ହାଇଡ୍ରୋଲିକ ସିଡ଼ିରେ ଓହ୍ଲାଇ ଅଣାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ତାଳି ମାରି ଉଦ୍ଧାରକାରୀଙ୍କୁ ସାବାସୀ ଦେଇଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ପରିଜା ଲାଇବ୍ରେରୀ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଉଥିବା ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡେଇ ଅଞ୍ଚଳରେ ଏବଂ ସେ ଗତ ୫ ଦିନ ହେବ ନିଖୋଜ ଥିଲେ। ତାଙ୍କ ନାମ ସୁବୋଧ ବାରିକ ବୋଲି ଜଣାପଡ଼ିଛି ଓ ସେ ଗତ କିଛି ଦିନ ହେବ ବାଣୀବିହାରରେ ବୁଲାବୁଲି କରୁଥିଲେ। ସେ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ଥିବା ଜଣାପଡ଼ିଛି।