ଶ୍ୱାସ ରୋଗରେ କଷ୍ଟ ପାଉଥିବା ରୋଗୀଙ୍କ ତଥ୍ୟ ଦିଅ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । କିଛି ସ୍ଥାନକୁ ସଟ୍‌ଡାଉନ୍ ଘୋଷଣା କରିବା ପରେ ଏବେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ରେ ଶ୍ୱାସ ରୋଗରେ କଷ୍ଟ ପାଉଥିବା ରୋଗୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନମାନିଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସମ୍ପୃକ୍ତ କ୍ଲିନିକ୍ ବା ମେଡିକାଲର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ୍ ବାଗଚୀ ।

କୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଯଦି କୌଣସି ବ୍ୟକ୍ତି ଶ୍ୱାସ ରୋଗ ଓ ଏନଫ୍ଲୁଏଞ୍ଜାରେ ପୀଡିତ ଥାଆନ୍ତି ସେମାନଙ୍କ ସବିଶେଷ ତଥ୍ୟ ସରକାରଙ୍କୁ ଦେବାକୁ ସେ କହିଛନ୍ତି । ସେହିପରି ଯେକୌଣସି ବ୍ୟକ୍ତି ନିଜାମୁଦ୍ଦିନ ଯାଇଥିଲେ ସେମାନେ ଭୟ ନକରି ୧୦୪ ନମ୍ବରରେ କଲ କରିବାକୁ ସେ ନିବେଦନ ମଧ୍ୟ କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ୧୩୯୫ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବାବେଳେ ୨୦ ଜଣଙ୍କ ପଜେଟିଭ ବାହାରିଛି । ସେଥିରୁ ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ଦେଶରେ ଦିନ ୩ ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ୨୯୦୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୮ ଜଣଙ୍କ ମୃତ୍ୟୁ ଘଟିଛି । ସେପଟେ ବିଶ୍ୱରେ ଏଯାବତ ଏହି ରୋଗ ୨୦୫ଟି ଦେଶରେ ବ୍ୟାପୀଥିବାବେଳେ ୧୧୪୧୯୭୩ ଜଣ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ଲୋକଙ୍କୁ ଟ୍ରେସିଂ ଜାରି ରହିଛି । ୫୧ ଜଣ ଆଇସୋଲେସନରେ ସନ୍ଦିଗ୍ଧ ଭାବେ ରହିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ୩ ଜଣ ଆକ୍ରାନ୍ତ, ଅଶ୍ୱିନୀ ହସ୍ପିଟାଲରେ ୧୬ ଜଣ ଓ ଜଣେ ଏମସରେ ଚିକିତ୍ସିତ ହେଉଥିବା ସେ କହିଛନ୍ତି । ସେହିପରି ଭୁବନେଶ୍ୱରରେ ସର୍ବାଧିକ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି ।