ଭୁବନେଶ୍ୱର: ବାହାର ଫେରନ୍ତାଙ୍କୁ ୨୮ ଦିନ ଯାଏଁ ସଙ୍ଗରୋଧରେ ରହିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ପ୍ରବାସୀମାନେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ରହିବା ପରେ ୭ ଦିନ ନିଜ ଘରେ ସଙ୍ଗରୋଧରେ ରହିବେ । ତେବେ ଏହି ୭ ଦିନ ମଧ୍ୟରେ ସରକାରୀ କ୍ୱାରେନଂଟାଇନ୍ ରୁ ଯାଇଥିବା ବ୍ୟକ୍ତିମାନଙ୍କୁ ସତର୍କତା ପାଳନ କରିବାକୁ ପଡ଼ିବ । ଏହି ସତର୍କତା ସଂପର୍କରେ ରାଜ୍ୟ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗ୍ଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ।
ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସରକାରୀ କ୍ୱାରେନଂଟାଇନ୍ ରୁ ଛୁଟି ମିଳିବା ପରେ ସଂପୃକ୍ତ ବ୍ୟକ୍ତିମାନେ ଘରେ ରହିଲେ ମଧ୍ୟ ଅଲଗା ରହିବାକୁ ପଡ଼ିବ। ସେମାନେ ଗାଁ ଦାଣ୍ଡରେ ବୁଲି ପାରିବେ ନାହିଁ । ସେହିଭଳି ଅସୁସ୍ଥ ବ୍ୟକ୍ତିଙ୍କ ପାଖକୁ ଯିବାକୁ ଅନୁମତି ମିଳିବ ନାହିଁ । ସାମାଜିକ କାର୍ଯ୍ୟ ଯଥା ମନ୍ଦିର, ବିବାହ କାର୍ଯ୍ୟକ୍ରମ, ଅନ୍ୟ ଭୋଜିଭାତ ସ୍ଥଳକୁ ଯାଇପାରିବେ ନାହିଁ । ସରକାରୀ କ୍ୱାରେନଂଟାଇନ୍ ରୁ ଆସିଥିବା ବ୍ୟକ୍ତି ଘରେ ଥାଇ ମଧ୍ୟ ୭ ଦିନ ଯାଏଁ ମାସ୍କ ପିନ୍ଧିବେ । ଯଦି ଏହାରି ଭିତରେ ଅସୁସ୍ଥ ଅନୁଭବ କରନ୍ତି, ତାହେଲେ ୧୦୪କୁ ଫୋନ କରିବେ । ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିବେ ।
ସୂଚନାଯୋଗ୍ୟ, କରୋନା ରୋଗର ଲକ୍ଷଣ ୧୪ ଦିନ ମଧ୍ୟରେ ଜଣାପଡୁ ନାହିଁ । ଏହି ମାରାତ୍ମକ ରୋଗ ୨୧ ଦିନ ମଧ୍ୟରେ ବି ଚିହ୍ନଟ ହୋଇପାରୁ ନ ଥିବାରୁ ରାଜ୍ୟ ସରକାର ସଙ୍ଗରୋଧ ଅବଧି ୨୮ ଦିନ କରି ଦେଇଛନ୍ତି । କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଏଥିରୁ ୨୧ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡ଼ିବ । ବାକି ୭ ଦିନ ଘରେ ସଙ୍ଗରୋଧରେ ରହିବାକୁ ପଡ଼ିବ ।