ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଆଜି ନର୍ସିଂ ଦିବସ । ଡାକ୍ତରମାନଙ୍କ ସହ ନର୍ସମାନେ କରୋନା ଯୋଦ୍ଧା ପାଲଟିଛନ୍ତି । ସମଗ୍ର ବିଶ୍ୱ କୋଭିଡ-୧୯ ମୁକାବିଲା କରୁଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏମିତି ସମୟ ବି ଆସିବ, କରୋନା ଭାଇରସ ଚାଲିଯିବ, କିନ୍ତୁ ଏହି ଦୁର୍ଦ୍ଦିନରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବା ନର୍ସମାନେ ସବୁଦିନ ପାଇଁ ମନେ ରହିବେ । ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଏହା କହିଛନ୍ତି ।

ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ବର୍ତ୍ତମାନ ସାରା ଦେଶରେ ୨୨ ଲକ୍ଷ ନର୍ସଙ୍କ ଅଭାବ ରହିଛି । ଫଳରେ ଚିକିତ୍ସା କ୍ଷେତ୍ରରେ ସେବା ପାଇଁ ଅସୁବିଧା ସୃଷ୍ଟି ହେଉଛି । ଓଡ଼ିଶାରେ ପ୍ରତିବର୍ଷ ୮୦୦୦ ଜଣଙ୍କୁ ବିଭିନ୍ନ ନର୍ସିଂ କଲେଜରେ ନର୍ସିଂ ତାଲିମ ଦିଆଯାଉଛି । ଚିକିତ୍ସା ସେବା କ୍ଷେତ୍ରରେ ନର୍ସମାନଙ୍କ ଅବଦାନ ସ୍ମରଣୀୟ । ନର୍ସମାନଙ୍କ ସେବା ଯୋଗୁଁ ରୋଗୀଙ୍କୁ ଆଶ୍ୱସ୍ତି ମିଳିଥାଏ । ଜଣେ ରୋଗୀ ନର୍ସମାନଙ୍କର ଭଲ ଭଲ କଥାରେ ଦୁଃଖ ଓ କଷ୍ଟକୁ ଭୁଲିଯାଇଥାଏ ।

ଏଥିସହ ମୁଖ୍ୟମୁଖପାତ୍ର କହିଛନ୍ତି, ଆଜି ସକାଳ ସୁଦ୍ଧା ଭାରତରେ ୧୭ ଲକ୍ଷ ୫୯ ହଜାର ୫୭୯ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ସେଥିରୁ ୭୦ ହଜାର ୭୫୬ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ଦେଶରେ ମୋଟ ୨୨ ହଜାର ୪୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ୨ ହଜାର ୨୯୩ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ୪୬ ହଜାର ୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ଓଡ଼ିଶାରେ ଗତକାଲି ରାତି ୧୨ଟା ସୁଦ୍ଧା ୬୮ ହଜାର ୫୭ଟି ନମୁନା ପରୀକ୍ଷା ହୋଇଛି । ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩୪୯ ଜଣ ଚିକିତ୍ସାଧୀନ ଅଛନ୍ତି ।