ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି କରାଯାଇଥିବା ଲକ୍ଡାଉନ୍ କାରଣରୁ ରାଜ୍ୟ ବାହାରେ ଅନ୍ୟ ରାଜ୍ୟରେ ଅଟକ ରହି ଯାଇଥିବା ପ୍ରବାସୀ ଓଡ଼ିଆମାନଙ୍କର ରାଜ୍ୟକୁ ଫେରିବା ପାଇଁ ରାଜ୍ୟ ସରକାର ଅନୁମତି ଦେବାପରେ ଏବେ ପ୍ରବାସୀମାନଙ୍କର ଫେରନ୍ତା ପର୍ବ ଆରମ୍ଭ ହୋଇଛି। ପୂର୍ବରୁ ପ୍ରବାସୀମାନଙ୍କର ରାଜ୍ୟକୁ ଫେରିବା ପାଇଁ ସରକାର ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଥିଲେ। ତେବେ, ଆଜି ଠାରୁ ରାଜ୍ୟ ସରକାର ପ୍ରବାସୀମାନଙ୍କ ପାଇଁ ପଞ୍ଜୀକରଣ ସହ ସେମାନେ ଯେଉଁ ପଂଚାୟତକୁ ଫେରୁଛନ୍ତି ବା ଫେରିବେ ସେହି ପଂଚାୟତର ସରପଂଚମାନଙ୍କ ନିକଟରେ ସେମାନଙ୍କର ସଂପୂର୍ଣ୍ଣ ଯାତ୍ରା ବିବରଣୀ ଦାଖଲକୁ ମଧ୍ୟ ବାଧ୍ୟତାମୂଳକ କରି ଦେଇଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ପ୍ରଦାନ କରି ରାଜ୍ୟ କୋଭିଡ୍- ୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ଅନେକ କ୍ଷେତ୍ରରେ ଫେରୁଥିବା ପ୍ରବାସୀମାନେ ସେମାନଙ୍କ ସରପଂଚମାନଙ୍କୁ ସେମାନଙ୍କ ଫେରିବା ନେଇ କୌଣସି ପ୍ରକାରର ସୂଚନା ପ୍ରଦାନ କରୁନାହାନ୍ତି। ଫଳରେ ସେମାନଙ୍କର କ୍ୱାରେନଂଟାଇନ୍ ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାରେ ଅସୁବିଧା ହେଉଛି ଏବଂ ଏହାକୁ କେନ୍ଦ୍ରକରି ନାନା ଧରଣର ବାଧା ଓ ପ୍ରତିବନ୍ଧକ ସୃଷ୍ଟି ହେଉଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ଏଣିକି ପ୍ରବାସୀମାନଙ୍କ ପାଇଁ ପଞ୍ଜୀକରଣ ସହ ସେମାନେ ଯେଉଁ ପଂଚାୟତକୁ ଫେରୁଛନ୍ତି ବା ଫେରିବେ ସେହି ପଂଚାୟତର ସରପଂଚମାନଙ୍କ ନିକଟରେ ସେମାନଙ୍କର ସଂପୂର୍ଣ୍ଣ ଯାତ୍ରା ବିବରଣୀ ଦାଖଲକୁ ସରକାର ଆଜିଠାରୁ ବାଧ୍ୟତାମୂଳକ କରି ଦେଇଛନ୍ତି। ସରପଂଚଙ୍କ ଅଜ୍ଞାତସାରରେ କୌଣସି ପ୍ରବାସୀ ନିଜ ଗାଁକୁ ଫେରିପାରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଶ୍ରୀ ବାଗଚୀ।
ଏଥିସହ ଶ୍ରୀ ବାଗଚୀ କହିଛନ୍ତି ଯେ ଗୁଜୁରାଟର ସୁରଟରେ ରହୁଥିବା କୌଣସି ପ୍ରବାସୀ ଓଡ଼ିଆ ଆଜି ଠାରୁ ଆଉ ବସ୍ରେ ଓଡ଼ିଶାକୁ ଫେରିପାରିବେ ନାହିଁ। କାରଣ, ଏବେ ଗୁଜୁରାଟର ସୁରଟରୁ ସଂଖ୍ୟାଧିକ ଟ୍ରେନ୍ ଚଳାଚଳ କଲାଣି। ତା’ଛଡ଼ା ବସ୍ ଯାତ୍ରା କାଳରେ ସାମାଜିକ ଦୂରତା ବଜାୟ ରହୁ ନଥିବା, ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ଯାତ୍ରା କରୁଥିବା, ବସ୍ ଚାଳକଙ୍କ ବେପରୁଆ ଚାଳନା ପାଇଁ ଅନେକ କ୍ଷେତ୍ରରେ ଦୁର୍ଘଟଣା ଘଟୁଥିବା ଏବଂ ଏବେ ଖରା ବଢ଼ିଥିବାରୁ ଅଂଶୁଘାତର ଆଶଙ୍କା ରହିଥିବାରୁ ପ୍ରବାସୀମାନଙ୍କର ବସ୍ରେ ଫେରିବା ଉପରେ ସରକାର କଟକଣା ଲଗାଇଛନ୍ତି ବୋଲି କହିଛନ୍ତି ଶ୍ରୀ ବାଗଚୀ।