ଘରେ ଏବେ ବୟସ୍କମାନଙ୍କ ଅଧିକ ଯତ୍ନ ନିଅନ୍ତୁ

ଭୁବନେଶ୍ୱର:  କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଭାରତ ଏବଂ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ ହାରରେ ବଢୁଛି ଜୁଲାଇ ଶେଷ ବେଳକୁ ପରିସ୍ଥିତି କ’ଣ ଥିବ ତାହା ଏବେଠୁ କହି ହେବନି। ଏହାକୁ ଦୃଷ୍ଟିରେ ରଖି ଘରର ବୟସ୍କମାନଙ୍କ ଯତ୍ନ ନେବା ଜରୁରୀ। ବୟସ୍କମାନଙ୍କୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଘଣ୍ଟ ଘୋଡ଼ାଇ ରଖିବା ଜରୁରୀ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି କହିଛନ୍ତି।

”ଆସନ୍ତା ଗୋଟିଏ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିପ୍ରତି ସମସ୍ତେ ସଜାଗ ହେବା ଦରକାର। ବର୍ତ୍ତମାନସୁଦ୍ଧା ଓଡ଼ିଶାରେ ୧୭ ଜଣ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହେଲାଣି। ସେଥିମଧ୍ୟରୁ ୯ ଜଣ ହେଉଛନ୍ତି ୬୦ ବର୍ଷ ବୟସରୁ ଅଧିକ। ୬ ଜଣ ମୃତକଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଏଣୁ ଏବେ ବୟସ୍କ ବ୍ୟକ୍ତିଙ୍କର ଯତ୍ନ ନେବାର ବେଳ ଆସିଛି”, କହିଛନ୍ତି ସୁବ୍ରତ ବାଗ୍‌ଚି।

  • ବୟସ୍କ ବ୍ୟକ୍ତିଙ୍କ ପାଖକୁ ଯିବା ବେଳେ ମାସ୍କ ପିନ୍ଧନ୍ତୁ।
  • ବୟସ୍କମାନଙ୍କର ଯେକୌଣସି ସେବା କରିବା ପୂର୍ବରୁ ଭଲଭାବରେ ହାତ ଧୁଅନ୍ତୁ।
  • ବୟସ୍କମାବେ ବ୍ୟବହାର କରୁଥିବା ଜିନିଷ ଯଥା: ଆଶ୍ରାବାଡ଼ି ଏବଂ ମୋବାଇଲ ଆଦିକୁ ଭଲଭାବେ ପରିସ୍କାର ରଖନ୍ତୁ।
  • କଟୁମ୍ବ, ବନ୍ଧୁବାନ୍ଧବ ଆଦିଙ୍କୁ ଘରକୁ ଡାକନ୍ତୁ ନାହିଁ।
  • ବୟସ୍କମାନଙ୍କ ସହିତ ଘର ଭିତରେ ଦୁରତ୍ୱ ରକ୍ଷା କରନ୍ତୁ।
  • ଅଯଥାରେ ଡାକ୍ତରଖାନା କିମ୍ବା କ୍ଲିନିକକୁ ବୟସ୍କ ବ୍ୟକ୍ତିଙ୍କୁ ନିଅନ୍ତୁ ନାହିଁ।
  • ଟ୍ରେନ୍‌, ଉଡ଼ାଜାହାଜ, ବସ୍‌ରେ ତାଙ୍କୁ ଯାତ୍ରା କରିବାକୁ ଦିଅନ୍ତୁ ନାହିଁ।
  • ପରିବାରର ଅନ୍ୟ ଲୋକମାନେ ଭିଡ଼ ଜାଗାକୁ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି ଆସିବା ପରେ ପରିଚ୍ଛନ୍ନତାର ନିୟମ ପାଳନ କରନ୍ତୁ।
  • ବୟସ୍କଙ୍କର ମାନସିକ, ଶାରୀରିକ ସ୍ଥିତି ପ୍ରତି ଧ୍ୟାନ ଦିଅନ୍ତୁ।
  • ଜ୍ୱର, କାଶ କିମ୍ବା ଶ୍ୱାସ କଷ୍ଟର ଲକ୍ଷଣ ଦେଖାଦେଲେ ୧୦୪କୁ ଯୋଗାଯୋଗ କରନ୍ତୁ।